ସନ୍ଧ୍ୟାରେ ସନରାଇଜର୍ସ ବନାମ ଇଣ୍ଡିଆନ୍ସ : ‘କର ବା ମର’ ସ୍ଥିତିରେ ହାଇଦ୍ରାବାଦ

ମୁମ୍ବାଇ,୧୭/୦୫: ଚଳିତ ଆଇପିଏଲ୍‌ର ୬୫ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚ୍‌ ସନରାଇଜର୍ସ ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ୧୨ଟି ମ୍ୟାଚ୍‌ ଖେଳି ସନରାଇଜର୍ସ ୫ ବିଜୟ ସହ ମୋଟ୍‌ ୧୦ ପଏଣ୍ଟ ହାସଲ କରିଛି । ଶେଷ ୨ଟି ମ୍ୟାଚ୍‌କୁ ବଡ ବ୍ୟବଧାନରେ ଜିତି ରନ୍‌ ରେଟ୍‌ ଉନ୍ନତି କରିପାରିଲେ ସନରାଇଜର୍ସର ପ୍ଲେ-ଅଫ୍‌ ସମ୍ଭାବନା ରହିବ। ନଚେତ ମ୍ୟାଚ୍ ପରାଜୟ ସହ ସବୁ ସ୍ୱପ୍ନ ମଉଳି ଯିବ । ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ-ଅଫ୍‌ ଦୌଡରୁ ବାଦ ପଡ଼ି ସାରିଛି । ପୂର୍ବ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍‌ସକୁ ହରାଇ ପ୍ଲେ-ଅଫ୍‌ ଦୌଡରୁ ବଞ୍ଚିତ କରିଥିଲା । ଏଥର ସନରାଇଜର୍ସକୁ ମଧ୍ୟ ବିଦା କରିବାକୁ ପ୍ରୟାସ କରିବ । ଦଳରେ ଆହତ ସମସ୍ୟା ଓ ଫର୍ମ ହାନୀ ଲାଗି ରହିଥିଲେ ହେଁ ମୁମ୍ବାଇ ଇଣ୍ଡିଆନ୍ସ ଏକ ସନ୍ତୁଳିତ ଏକାଦଶ ପ୍ରସ୍ତୁତ କରିବା ଆଶା କରାଯାଉଛି । ଟିମ୍‌ ଡେଭିଡ୍‌ ଫର୍ମକୁ ଫେରିଛନ୍ତି । ଡାନିଏଲ୍‌ ସାମ୍ସ ଡେଥ୍‌ ଓଭରରେ ଚମତ୍କାର ବୋଲିଂ କରିଛନ୍ତି । କେବଳ ସ୍ପିନ ବିଭାଗକୁ ନେଇ ଚିନ୍ତା ରହିଛି । ମଧ୍ୟ ଭାଗରେ ତିଳକ ବର୍ମା ଦର୍ଶକଙ୍କ ନଜରରେ ରହିବେ । ସନରାଇଜର୍ସ ଉନ୍ନତ ବୋଲିଂ ବିଭାଗକୁ ନେଇ ପରିଚିତ । ବ୍ୟାଟିଂ ବିଭାଗ ଏପର୍ଯ୍ୟନ୍ତ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରି ନାହିଁ । ତଥାପି ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବାର କ୍ଷମତା ଦଳ ନିକଟରେ ରହିଛି । ଆଜିର ମ୍ୟାଚ୍‌ରେ ଫାଷ୍ଟ ବୋଲର ଉମ୍ରାନ ମଲିକ ନଜରରେ ରହିବେ । ରୋହିତ ଓ ଉମ୍ରାନଙ୍କ ମଧ୍ୟରେ ଏକ ଲଢେଇ ଦେଖିବାକୁ ମିଳିବ । ଚଳିତ ସିଜନରେ ଉଭୟ ପ୍ରଥମ କରି ପରସ୍ପରକୁ ଭେଟିବେ। ଗତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ଉଭୟ ମ୍ୟାଚ୍‌ ଜିତିଥିଲା । ତେଣୁ ଆଜିର ମ୍ୟାଚ୍‌ରେ ରୋହିତ ବାହିନୀର ପଲା ଭାରି ରହିବା ଆଶା କରାଯାଉଛି। ମୋଟ୍‌ ଉପରେ ଦେଖିବାକୁ ଗଲେ ରୋହିତ ଓ କେନ ୱିଲିୟମସନଙ୍କ ନେତୃତ୍ୱ ଓ ରଣ କୌଶଳ ଦର୍ଶକଙ୍କୁ ଆକୃଷ୍ଟ କରିବ ।

Leave A Reply

Your email address will not be published.