ବେକାର ଯୁବକ-ଯୁବତୀଙ୍କୁ ନକଲି ନିଯୁକ୍ତିପତ୍ର: ଠକ ସଂସ୍ଥାର ୨ ଗିରଫ

ଝାରସୁଗୁଡ଼ା : ଝାରସୁଗୁଡ଼ା ବେହେରାମାଲଠାରେ ଏକ ଅଫିସ ଖୋଲି ନକଲି ନିଯୁକ୍ତିପତ୍ର ଦେଇ ବେକାର ଯୁବକ-ଯୁବତୀମାନଙ୍କୁ ଠକୁଥିବା ଏକ ସଂସ୍ଥା ପୁଲିସ ହାତରେ ଧରାପଡ଼ିଛି। ଏହି ସଂସ୍ଥା ଚଳାଉଥିବା ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ଏସ୍‌ପି ରାହୁଲ ଜୈନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସଂସ୍ଥା ବିଭିନ୍ନ ଗାଁ ଗଣ୍ଡାରେ ମହିନ୍ଦ୍ରା ସୋରୁମ୍‌ରେ ନିଯୁକ୍ତି ପାଇଁ ପୋଷ୍ଟର ମାଧ୍ୟମରେ ବିଜ୍ଞାପିତ କରୁଥିଲେ। ଏଥିରେ ବେକାର ଯୁବକ-ଯୁବତୀମାନଙ୍କୁ ପ୍ରଲୋଭିତ କରିବା ପାଇଁ ୨୦ ରୁ ୨୫ ହଜାର ଟଙ୍କା ମାସିକ ଦରମା କଥା ଉଲ୍ଲେଖ କରୁଥିଲେ। ଏଥିରେ ଆକର୍ଷିତ ହୋଇ ବହୁ ବେକାର ଯୁବକଯୁବତୀ ନିଯୁକ୍ତି ଆଶାରେ ଏହି ଅଫିସକୁ ଆସି ଦରଖାସ୍ତ କରୁଥିଲେ। ଦରଖାସ୍ତ କରୁଥିବା ଯୁବକ ଯୁବତୀମାନଙ୍କୁ ଏହି ସଂସ୍ଥାରେ ୧୫ ଶହ ଟଙ୍କା ଦେଇ ପ୍ରଥମେ ନାମ ପଞ୍ଜୀକରଣ ହେଉଥିଲା। ପରେ ବିଭିନ୍ନ ମହିନ୍ଦ୍ରା ସୋରୁମ୍‌ରେ ନିଯୁକ୍ତି ପାଇଁ ନକଲି ନିଯୁକ୍ତିପତ୍ର ପ୍ରଦାନ କରାଯାଉଥିଲା। ଏଭଳି ଠକେଇର ଶିକାର ହୋଇଥିବା ରେଲୱେ କଲୋନିର ଜଣେ ଯୁବତୀ ଶାନ୍ତିଲତା ସାହୁ ଗତ ୧୬ ତାରିଖ ଦିନ ଟାଉନ୍‌ ଥାନାରେ ଏକ ଲିଖିତ ଅଭିଯୋଗ ଦେବାପରେ ପୁଲିସ ତନାଘନା ଆରମ୍ଭ କରିଥିଲା। ଥାନାରେ ମାମଲା ରୁଜୁ ହେବାପରେ ଠକସଂସ୍ଥାର ମାଲିକ ଓ କର୍ମଚାରୀମାନେ ଫେରାର ହୋଇଯାଇଥିଲେ। ପୁଲିସ ଏହି ମାମଲାର ତଦନ୍ତ ପାଇଁ ଏକ ଟିମ୍‌ ଗଠନ କରିଥିଲା। ଏହି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ପରେ ଜଣକୁ ଝାରସୁଗୁଡ଼ା ଓ ଅନ୍ୟ ଜଣକୁ ଜାମସେଦପୁରଠାରୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଗିରଫ ଦୁଇ ଅଭିଯୁକ୍ତ ଉତ୍ତରପ୍ରଦେଶର ବୋଲି ଏସ୍‌ପି ଶ୍ରୀ ଜୈନ କହିଛନ୍ତି।

Leave A Reply

Your email address will not be published.