ଆନ୍ଧ୍ରର ପୁଣି ଦାଦାଗିରି: ଓଡ଼ିଶା‌ରେ ପଶି ବନ୍ଦକଲେ ‘ବସୁଧା’ ଯୋଜନା କାମ

ପଟାଙ୍ଗି : ଓଡ଼ିଶାର ସୀମାନ୍ତ ଅଞ୍ଚଳ ଦଖଲ ପାଇଁ ଏବେ ନାଲିଆଖି ଦେଖାଇବା ଆରମ୍ଭ କରିଛି ଆନ୍ଧ୍ର। ଓଡ଼ିଶା ସୀମାରେ ପଶି ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଗୁଣ୍ଡାଙ୍କ ଭଳି ଆଚରଣ କରି ଧମକ ଦେବାକୁ ପଛାଇନାହିଁ। କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ନେରେଡିବାଲସା ଗାଁରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଓଡ଼ିଶାରେ ରାଜ୍ୟ ସରକାର କରୁଥିବା ପ୍ରକଳ୍ପକୁ ଚାପ ପ୍ରୟୋଗ କରି ବନ୍ଦ କରିଦେଇଛନ୍ତି। ସୂଚନା ଅନୁଯାୟୀ, ବିବାଦୀୟ କୋଟିଆର ନେରେଡିବାଲାସା ଗାଁରେ ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଓଡ଼ିଶା ସରକାର ପଦକ୍ଷେପ ନେଇଛନ୍ତି। ଏଥିପାଇଁ ବସୁଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପ କାମ ଆରମ୍ଭ ହୋଇଛି। ଗାଁରେ ପାଇପ ବିଛାଇବା ପାଇଁ ରାସ୍ତାରେ ଖନନ କାର୍ଯ୍ୟ ଚାଲିଥିବା ବେଳେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଅନୁପ୍ରବେଶ କରିଥିଲେ। ସାଲୁର ମଣ୍ଡଳର ଅଧିକାରୀ ଏଠାରେ କାମ କରିବାକୁ କିଏ ଅନୁମତି ଦେଲା ବୋଲି କାମରେ ନିୟୋଜିତ ଶ୍ରମିକଙ୍କୁ ପ୍ରଶ୍ନ କରିଥିଲେ। ଏହି ରାସ୍ତା ଆନ୍ଧ୍ର ସରକାର କରିଥିବାରୁ କୌଣସି ପରିସ୍ଥିତିରେ ବି ଖନନ ହୋଇପାରିବ ନାହିଁ ବୋଲି ପାଟିତୁଣ୍ଡ କରିଥିଲେ। ଏପରିକି ଏହି ଅଞ୍ଚଳ ଆନ୍ଧ୍ରର ବୋଲି ଏକତରଫା ବୟାନ ଦେଇ ତୁରନ୍ତ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯଦି କାମ କରିବ, ତେବେ ପରିଣତି ଭୋଗିବ ବୋଲି ଚେତାବନୀ ଦେଇଥିଲେ। ଯାହାଫଳରେ ଠିକାଦାର କାମ ବନ୍ଦ କରିଦେଇଥିବା ସୂଚନା ମିଳିଛି।

Leave A Reply

Your email address will not be published.