ଟ୍ରକ ଧକ୍କାରେ ଡିପ୍ଲୋମା ଛାତ୍ର ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଲୋକେ

ଦେବଗଡ଼, ୨୬/୫: ଗୁରୁବାର ଅପରାହ୍ନରେ ଦେବଗଡ଼ ଆଦର୍ଶ ଥାନା ଅନ୍ତର୍ଗତ ଗାଡ଼ପାଳ ଗ୍ରାମ ନିକଟସ୍ଥ ରାଞ୍ଚି-ବିଜୟୱାଡା ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ବାଇକ୍‌ ଆରୋହୀ ଜଣକ ନୂଆଗାଁ ଗ୍ରାମର ପଞ୍ଚାନନ କିସାନ । ମିଳିଥିବା ସୂଚନା ମୁତାବକ, ପଞ୍ଚାନନ ଜଣେ ଡିପ୍ଲୋମା ଛାତ୍ର ହୋଇଥିବାବେଳେ ଆଜି ଛେଣ୍ଡିପଦା ପଟୁ ନିଜ ଗ୍ରାମ ନୂଆଗାଁକୁ ଫେରୁଥିଲେ । ଗାଡ଼ପାଳ ଗ୍ରାମ ନିକଟରେ ସମ୍ମୁଖ ପଟୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ ବାଇକକୁ ଧକ୍କା ଦେବା ପରେ ଟ୍ରକଟି ରାସ୍ତା ତଳକୁ ପଶି ଯାଇଥିଲା । ଫଳରେ ଘଟଣାସ୍ଥଳରେ ପଞ୍ଚାନନଙ୍କ  ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିବାବେଳେ ଦେବଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.