ମୁନ୍ଦ୍ରା ପୋର୍ଟରୁ ପୁଣି ୫୬ କେଜି ବ୍ରାଉନସୁଗାର ଜବତ; ଆନୁମାନିକ ମୂଲ୍ୟ ୫୦୦ କୋଟି

ଗାନ୍ଧୀନଗର: ଡ୍ରଗ୍ସ ହବ୍ ପାଲଟିଲାଣି ଗୁଜୁରାଟ କଚ୍ଛ ଜିଲ୍ଲାରେ ଥିବା ଅଦାନୀଙ୍କ ମୁନ୍ଦ୍ରାପୋର୍ଟ। ଥରେକି ଦୁଇଥର ନୁହେଁ, ଏକାଧିକ ଥର ହଜାର ହଜାର କୋଟି ଟଙ୍କା ମୂଲ୍ୟରେ ଜବତ ହେଉଛି ବ୍ରାଉନସୁଗାର। ମାସକ ତଳେ ପାଖାପାଖି ଦୁଇ ହଜାର କୋଟି ଟଙ୍କରା ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଏବେ ପୁଣି ୫୬ କେଜି ବ୍ରାଉନସୁଗାର ଜବତ କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ବା DRI। ଯାହାର ମୂଲ୍ୟ ୫୦୦ କୋଟି ଟଙ୍କା କୁହାଯାଉଥିବା ବେଳେ DRI ପକ୍ଷରୁ ପ୍ରକୃତ ମୂଲ୍ୟ କୁହାଯାଇ ନାହିଁ। ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। କୋକିନ୍‌ର ଅନ୍ତର୍ଜାତୀୟ ବଜାର ମୂଲ୍ୟ କେଜି ପ୍ରତି ପାଖାପାଖି ୧୦ କୋଟି ଟଙ୍କା ରହିଛି। ତେଣୁ ଏହି ହିସାବରେ ଜବତ କୋକିନର ମୂଲ୍ୟ ୫୬୦ କୋଟି ଟଙ୍କା ହେବ ବୋଲି କୁହାଯାଉିଛି।  ଡିଆର୍‌ଆଇ ଅଧିକାରୀଙ୍କ ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ଖବର ପାଇଁ ଟିମ୍ ମୁନ୍ଦ୍ରା ପୋର୍ଟରେ ପହଞ୍ଚିଥିଲା। ବିଦେଶରୁ ଆସିଥିବା ଏକ କଣ୍ଟେନରକୁ ତଲାସ କରିଥିଲା। ଏଥିରେ ଥିବା ସାମଗ୍ରୀ ସହ ୫୬ କେଜିର ବ୍ରାଉନସୁଗାର ଜବତ ହୋଇଥିଲା। ସୂଚନା ଥାଉକି, ଗୁଜୁରାଟରେ ବିଦେଶରୁ ବହୁ ପରିମାଣ ବ୍ରାଉନସୁଗାର ଆସି ସାରାଦେଶକୁ ବିଷମୟ କରିଦେଉଛି। ହେଲେ ନା କେନ୍ଦ୍ର ସରକାର ନା ରାଜ୍ୟ ସରକାର ଏନେଇ କୌଣସି ପଦକ୍ଷେପ ନେଉ ନାହାଁନ୍ତି। ମାସେ ତଳେ ଡିଆର୍‌ଆଇ କଚ୍ଛ ଜିଲ୍ଲାର କାଣ୍ଡଲା ବନ୍ଦରରେ ଚଢାଉ କରି ୨୬୦ କୋଟି ଟଙ୍କାର ହେରୋଇନ ଜବତ କରିଥିଲା। ପୁଣି ମୁନ୍ଦ୍ରାରୁ ୨୦୨୧ରେ ସେପ୍ଟେର ମାସରେ ୯ ହଜାର କୋଟି ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିଲା। ୨୦୨୨ ମାର୍ଚ୍ଚ ୬ ତାରିଖରେ ଗୁଜୁରାଟ ଡିଜିପି ଚମକାଇ ଦେଲାଭଳି ତଥ୍ୟ ଦେଇଥିଲେ। ରାଜ୍ୟ ପୁଲିସ ଓ କେନ୍ଦ୍ର ଏଜେନ୍ସି ମିଶି ୨୦୧୯- ୨୧ ମଧ୍ୟରେ ୪୩୭ କେଜି ଡ୍ରଗ୍ସ ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୨୧ ହଜାର କୋଟି ଟଙ୍କା ହେବ ବୋଲି ଡିଜିପି କହିଥିଲେ। ସେହିପରି ୨୦୨୧ ସେପ୍ଟେମ୍ବର ମାସରେ ୩୦୦୦ କେଜିର ବ୍ରାଉନସୁଗାର ଜବତ କରାଯାଇଥିଲା। ଯାହାର ମୂଲ୍ୟ ବି ୨୧ ହଜାର କୋଟି ହେବ ବୋଲି କୁହାଯାଇଥିଲା। ପ୍ରଧନମନ୍ତ୍ରୀ ମୋଦୀଙ୍କ ରାଜ୍ୟ ଗୁଜୁରାଟକୁ ଅପରାଧିମାନେ ବ୍ରାଉନସୁଗାର ବିତରଣର କେନ୍ଦ୍ର କରିଦେଲେଣି। ହେଲେ ଏଥିପ୍ରତି କାହାରି ନିଘା ନାହିଁ।

Leave A Reply

Your email address will not be published.