ରାଲି-ରୋଡ ସୋରେ କମ୍ପୁଛି ବ୍ରଜରାଜନଗର : ମଇଦାନରେ ନେତା-ଅଭିନେତା, ଆଜି କଂଗ୍ରେସ ପାଇଁ ପ୍ରଚାର କରିବେ କହ୍ନେୟା କୁମାର

ଝାରସୁଗୁଡ଼ା ୨୮।୦୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ । ସେଥିପାଇଁ ସବୁ ଦଳ ସେମାନଙ୍କ ସମସ୍ତ ରଣ କୌଶଳକୁ ପ୍ରୟୋଗ କରୁଥିବା ଦେଖିବାକୁ ମିଳିଛି । କିଏ ରୋଡ ସୋ, ରାଲି କରୁଛି ତ ଆଉ କିଏ ଘରକୁ ଘର ବୁଲି ପ୍ରଚାର ନିଜ ସପକ୍ଷରେ ଭୋଟ ମାଗୁଛି। ଆଜି କଂଗ୍ରେସ ପାଇଁ କହ୍ନେୟା କୁମାର ଓ ବିଜେପି ପାଇଁ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି । ପ୍ରଚାର ପାଇଁ ବିଜେଡିର ହେଭିୱେଟ ମଧ୍ୟ ବ୍ରଜରାଜନଗରରେ ଡେରା ପକାଇଛନ୍ତି । ତେବେ ଶୁକ୍ରବାର ବ୍ରଜରାଜନଗରରେ ହିନ୍ଦି ଭାଷାଭାଷୀଙ୍କ ଭୋଟ୍ ହାତେଇବାକୁ ବିଜେପି ପକ୍ଷରୁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ଉତ୍ତରପ୍ରଦେଶ ବିଜେପି ନେତା ତଥା ଭୋଜପୁରୀ ହିରୋ ନିରହୁହା ଓରଫ ଦିନେଶ ଲାଲ ଯାଦବ । ସେହିପରି ଓଡିଆ ଫିଲ୍ମ ତାରକା ପିଙ୍କି ପ୍ରଧାନ ଗାଁକୁ ଗାଁ ବୁଲି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ ପ୍ରଚାର କରୁଛନ୍ତି । ସେପଟେ ବିଜେଡି ପାଇଁ ଚଳଚିତ୍ର ତାରକା ଅରିନ୍ଦମ,ଆକାଶ ଦାସ ନାୟକ ଓ ସାଂସଦ ତଥା ଅଭିନେତ ମୁନ୍ନା ଖାନ୍ ପ୍ରଚାର କରିଛନ୍ତି। ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କ ପାଇଁ କଳ, ବଳ, କୌଶଳ ଲଗାଇ ପ୍ରଚାର କରୁଛନ୍ତି ନେତା ଅଭିନେତା ଓ ଦଳୀୟ କର୍ମୀ । ଏଥିସହ ମନ୍ତ୍ରୀ ବିକ୍ରମ କେଶରୀ ଆରୁ, ସୁଶାନ୍ତ ସିଂହ, ପ୍ରତାପ ଜେନା, ଟୁକୁନି ସାହୁ ମଧ୍ୟ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ତାଙ୍କ ସହ ବିଧାୟକ ଧ୍ରୁବ ସାହୁ,ଦେବେଶ ଆଚାର୍ଯ୍ୟ, ରିତା ସାହୁ ପ୍ରମୁଖ ମଧ୍ୟ ପ୍ରଚାର ମଙ୍ଗ ସମ୍ଭାଳିଛନ୍ତି । କଂଗ୍ରେସ ମଧ୍ୟ ଦଳର ସମସ୍ତ ନେତାଙ୍କୁ ମୈଦାନରେ ଛାଡ଼ିଛି। କଂଗ୍ରେସ ପକ୍ଷରୁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ବିଧାୟକ ସୁର ରାଉତାରାୟ, ତାରା ବାହିନୀପତି ପ୍ରାର୍ଥୀ କିଶୋର ପଟେଲଙ୍କ ପାଇଁ ଜି ଜାନ୍ ଲଗାଇ ଦେଇଛନ୍ତି । କଂଗ୍ରେସକୁ ଅଧିକ ବଳ ଦେବାକୁ ରାଜ୍ୟ ପ୍ରଭାରୀ ଏ ଚେଲ୍ଲା କୁମାର ମଧ୍ଯ ବ୍ରଜରାଜନଗରରେ ଦଳୀୟ କର୍ମୀଙ୍କ ସହ ବୈଠକ କରିଥିଲେ । ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ନୂଆ ପିସିସି ସଭାପତି ଶରତ ପଟ୍ଟନାୟକ ବି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ।

Leave A Reply

Your email address will not be published.