ଭୁବନେଶ୍ବର : ଚଳିତ ବର୍ଷ ସରକାରୀ ଅଣଧାନ ବିହନ ବିକ୍ରି ପ୍ରାୟତଃ ଠପ୍ ହୋଇଛି। ଧାନ ବିହନ ବିକ୍ରି ୫୦ ପ୍ରତିଶତ ହ୍ରାସ ପାଇଛି। ଚଳିତ ବର୍ଷ ପୁନର୍ବାର କାର୍ଯ୍ୟକାରୀ କରାଯାଇଥିବା ଓଟିପି ସିଷ୍ଟମ ଯୋଗୁଁ ସରକାରୀ ବିହନ ବିକ୍ରି ବାଧାପ୍ରାପ୍ତ ହୋଇଛି। ଅପରପକ୍ଷରେ ରାଜ୍ୟରେ ୬ ହଜାରରୁ ଅଧିକ ଗାଁରେ ମୋବାଇଲ ନେଟ୍ଓ୍ବର୍କ ନାହିଁ। ଏଭଳି ସ୍ଥିତିରେ ଓଟିପି ଜରିଆରେ ବିହନ ରିହାତିର ଲାଭ ଚାଷୀଙ୍କୁ କିଭଳି ମିଳିବ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାର ଲାଭ ଉଠାଇ କମ୍ପାନି ବିହନ ବିକ୍ରି ବୃଦ୍ଧି ପାଇଛି। ବିହନ ନିଗମର ସୂଚନା ଅନୁଯାୟୀ, ଖରିଫରେ ଓଡ଼ିଶା ଚାଷୀଙ୍କୁ ୧୦ ଲକ୍ଷ କ୍ବିଣ୍ଟାଲ ଧାନ ବିହନର ଆବଶ୍ୟକତା ଥାଏ। ଗତବର୍ଷ ବିହନ ନିଗମ ପକ୍ଷରୁ ୫ ଲକ୍ଷ କ୍ବିଣ୍ଟାଲ ବିହନ ଯୋଗାଣ ହୋଇଥିଲା। ଚଳିତ ବର୍ଷ ହ୍ରାସ କରାଯାଇ ୩ ଲକ୍ଷ କ୍ବିଣ୍ଟାଲ ଯୋଗାଣ ହୋଇଛି। ଗତବର୍ଷ ଏହି ସମୟ ମଧ୍ୟରେ ୧ ଲକ୍ଷ ୩୦ ହଜାର କ୍ବିଣ୍ଟାଲ ବିହନ ବିକ୍ରି ହୋଇ ସାରିଥିଲା। ଚଳିତ ବର୍ଷ ବର୍ତମାନ ପର୍ଯ୍ୟନ୍ତ କେବଳ ୬୦ ହଜାର କ୍ବିଣ୍ଟାଲ ସରକାରୀ ଧାନ ବିହନ ବିକ୍ରି ହୋଇଛି। କିନ୍ତୁ ଏହା ଚାଷୀ କ୍ରୟ କରିଥିବା ବିହନ ନୁହେଁ ବରଂ ନିଗମ ଠାରୁ ଡିଲର ନେଇଥିବା ବିହନ। ଅର୍ଥାତ ଚାଷୀ କ୍ରୟ କରିଥିବା ବିହନ ଆହୁରି କମ ହୋଇଥିବା ଆଶଙ୍କା କରାଯାଉଛି। ବିରିରେ ୪ ହଜାର କ୍ବିଣ୍ଟାଲ ବିକ୍ରିର ଲକ୍ଷ୍ୟ ରଖାଯାଇଛି। ସେଥିପାଇଁ ୧୪୦୦ କ୍ବିଣ୍ଟାଲ ବିକ୍ରି ପାଇଁ ପ୍ରସ୍ତୁତ ହୋଇଛି। କିନ୍ତୁ ଡିଲର ଜରିଆରେ କିଛି ବିକ୍ରି ହୋଇ ନାହିଁ। ଗତବର୍ଷ ଏହି ସମୟରେ ୨ ହଜାର କ୍ବିଣ୍ଟାଲ ବିହନ ବିକ୍ରି ହୋଇଥିଲା। ଝୋଟ ୧୩୨ କ୍ବିଣ୍ଟାଲ ବିକ୍ରି ପାଇଁ ରହିଛି। ମୁଗ ବିକ୍ରି ଆରମ୍ଭ ମଧ୍ୟ ହୋଇ ନାହିଁ। ଗତବର୍ଷ ମଧ୍ୟ ମୁଗ ମାତ୍ର ୪୦ କ୍ବିଣ୍ଟାଲ ବିକ୍ରି ହୋଇଥିଲା। ବାଦାମ ମଧ୍ୟ ମାତ୍ର ୧୦୦ କ୍ବିଣ୍ଟାଲ ବିକ୍ରି ହୋଇଛି।ସୂଚନା ଅନୁଯାୟୀ, ଚାଷ ଖର୍ଚ ହ୍ରାସ ଲକ୍ଷ୍ୟରେ ବିହନରେ ସରକାର ରିହାତି ଦେଇଥାଆନ୍ତି। ଡିଲରଙ୍କ ଜରିଆରେ ଏହି ରିହାତି ମିଳେ। ଚଳିତ ବର୍ଷ ସରକାର ଡିବିଟି ସିଷ୍ଟମ ଲାଗୁ କରିଛନ୍ତି। ଯେଉଁଥିରେ ପଞ୍ଜୀକୃତ ଚାଷୀଙ୍କ ଫୋନକୁ ଓଟିପି ଆସିବ। ଓଟିପି ଦେଖାଇଲେ ତାଙ୍କ ଆକାଉଣ୍ଟରେ ରିହାତି ଟଙ୍କା ଜମା ହୁଏ। ମାତ୍ର ରାଜ୍ୟରେ ୬ ହଜାରରୁ ଅଧିକ ଗାଁରେ ମୋବାଇଲ ନେଟଓ୍ବର୍କ ନାହିଁ। ଅନେକ ଚାଷୀ ମଧ୍ୟ ମୋବାଇଲ ଫୋନ ବ୍ୟବହାର କରନ୍ତି ନାହିଁ। ତେଣୁ ଏହି ପ୍ରକ୍ରିୟା ଅଧିକ ଜଟିଳ ହେଉଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ଏଥିଯୋଗୁଁ ସେମାନେ ସରକାରୀ ବିହନ ନ କିଣି ଅଧିକ ମୂଲ୍ୟରେ କମ୍ପାନି ବିହନ କ୍ରୟ କରୁଛନ୍ତି। ଅନ୍ୟଦିଗରେ ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ଅନ୍ୟ ଅଞ୍ଚଳର ଚାଷୀ ଆଗୁଆ ଚାଷ କରନ୍ତି। ସେମାନଙ୍କୁ ନିର୍ଧାରିତ ସମୟରେ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ବିହନ ମିଳୁନଥିବା ସେମାନେ ଅଭିଯୋଗ କରନ୍ତି। ଏନେଇ କୃଷି ବିଭାଗ କହିଛି, ଚାଷୀଙ୍କ ରିହାତି ଟଙ୍କାର ବାଟମାରଣା ବନ୍ଦ ଲକ୍ଷ୍ୟରେ ଡିବିଟି ସିଷ୍ଟମ ଲାଗୁ କରାଯାଇଛି। କିଛି ବର୍ଷ ପୂର୍ବରୁ ବିହନର ରିହାତି ଟଙ୍କା ଚାଷୀଙ୍କ ଆକାଉଣ୍ଟରେ ଜମା ହେଉଥିଲା। ମାତ୍ର ଏଥିପ୍ରତି ଚାଷୀମାନେ ଅସନ୍ତୋଷ ପ୍ରକାଶ କରିବାରୁ ଡିଲର ଜରିଆରେ ବିକ୍ରି ବ୍ୟବସ୍ଥା ଆରମ୍ଭ ହୋଇଛି।