ବରେଲି ୩୧।୫: ଉତ୍ତରପ୍ରଦେଶ ବରେଲି ଅଞ୍ଚଳରେ ମଙ୍ଗଳବାର ସକାଳେ ସଡକ ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଛି । ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ନିଦ ଆସିବା କାରଣରୁ ଏଭଳି ଦୁର୍ଘଟଣା ଘଟିଛି । ରାମମୂର୍ତ୍ତି ହସ୍ପିଟାଲର ଆମ୍ବୁଲାନ୍ସ ମଙ୍ଗଳବାର ସକାଳେ ଡିଭାଇଡରରେ ପିଟିହେବା କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆମ୍ବୁଲାନ୍ସଟି ଦିଲ୍ଲୀରୁ ବରେଲି ଆସୁଥିଲା । ଦୁର୍ଘଟଣାରେ ଆମ୍ବୁଲାନ୍ସରେ ଥିବା ୭ ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଆମ୍ବୁଲାନ୍ସଟି ଡିଭାଇଡରରେ ପିଟିହୋଇ ଅନ୍ୟପଟ ରାସ୍ତାରେ ଯାଉଥିବା କଣ୍ଟେନରକୁ ଧକ୍କା ଦେଇଥିଲା । ଫଳରେ ଆମ୍ବୁଲାନ୍ସରେ ଥିବା ୭ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ୪ ଜଣ ପୁରୁଷ ଏବଂ ତିନି ଜଣ ମହିଳା ଅଛନ୍ତି । ସମସ୍ତ ମୃତକ ପିଲିଭିତ ଅଞ୍ଚଳର ବୋଲି କୁହାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ଶବ ଜବତ କରିଛି । ସ୍ଥାନୀୟ ଏସପି କହିଛନ୍ତି ଯେ, ଦୁର୍ଘଟଣା ପରେ ଯେମିତି ଯାତାୟତ ବାଧାପ୍ରାପ୍ତ ନହୁଏ ସେଥିପାଇଁ ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସଟିକୁ ରାସ୍ତା କଡରେ ରଖିଦିଆଯାଇଛି । ଦିଲ୍ଲୀରୁ ବରେଲି ଆସୁଥିବା ଆମ୍ବୁଲାନ୍ସ ଡିଭାଇଡର ପାର ହୋଇ ଅନ୍ୟ ରାସ୍ତାରେ ଯାଉଥିବା କଣ୍ଟେନରରେ ଧକ୍କା ହେବା ଯୋଗୁଁ ଦୁର୍ଘଟଣା ଘଟିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ ବୋଲି ଏସପି କହିଛନ୍ତି ।