ବିଶ୍ୱ ସାଇକେଲ ଦିବସ: ରାଜଧାନୀ ରାସ୍ତାରୁ ଗାଏବ ‘ମୋ ସାଇକେଲ୍‌’, ଖତ ଖାଉଛି, ଲାଗିଲାଣି କଳଙ୍କ

ଭୁବନେଶ୍ୱର,୦୩/୦୬: ସମୟ ପାଖାପାଖି ୧୦ଟା ୩୦ ହେବ । ପାଗ ଟିକେ କାଆଁଳିଆ ଥିବାରୁ ଭାବିଲୁ ମୋ’ସାଇକେଲ ଧରି ସହରରେ ଘେରାଇ ମାରିବୁ । ଜାଗମରା ଛକରେ ପହଞ୍ଚିଲୁ । ଆପ୍‌ରେ ରେଜିଷ୍ଟ୍ରେସନ କଲୁ । ହେଲେ ମୋ ସାଇକେଲ ଉଠିଲା ନାହିଁ । ସେମିତି ଶୋଇ ରହିଲା । କାହାର ରିମ ବଙ୍କା, ତ କାହାର ଚକରେ ପମ୍ପ ନାହିଁ । ପୋଖରୀପୁଟ ସାଇକେଲ ଷ୍ଟାଣ୍ଡରେ ବି ଦେଖିଲୁ । ସେଠି ବି ସମାନ ପରିସ୍ଥିତି। ସାଇକେଲ ଅଛି ସତ । କିନ୍ତୁ ଗଡିବା ଅବସ୍ଥାରେ ନାହିଁ । ଭାତହାଣ୍ଡିରୁ ଗୋଟିଏ ଭାତ ଚିପିଲା ଭଳି ଏହା ଗୋଟିଏ ଉଦାହରଣ । ବିଶ୍ୱ ସାଇକେଲ ଦିବସରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ହୋଇଥିବା ଯୋଜନାର ବାସ୍ତବ ସ୍ଥିତି ଏମିତି । ରାଜଧାନୀର ଚିତ୍ର ବଦଳିବ । ସ୍ମାର୍ଟସିଟିରେ ମୋ’ସାଇକେଲର ମଜା ନେବେ ସହରବାସୀ । ରାତାରାତି ଗଢା ହେଲା ନାଲି ରଙ୍ଗର ସାଇକେଲ ଟ୍ରାକ । କିଣା ହେଲା ସାଇକେଲ । ହେଲେ ଦିନ କେଇଟା ବିତିଲାନି । ଲୋକଙ୍କୁ ସେବା ଦେବ କଣ, ନିଜେ କବାଡିଆ ଖାନାରେ ପଡି ଶେଷ ନିଶ୍ୱାସ ନେଲା । ଶାଗ ମାଛ ଦରରେ ବିକ୍ରି ହେଲା ୨୫ ହଜାର ଟଙ୍କିଆ ସାଇକେଲ । ୨୦୧୮ ହକି ବିଶ୍ୱକପ୍‌ ସମୟରେ ମୋ ସାଇକେଲ ଯୋଜନା ଆରମ୍ଭ ହେଲା । ବିଏମ୍‌ସି ପକ୍ଷରୁ ୫ କୋଟି ଟଙ୍କା ବିନିମୟରେ କିଣା ହେଲା ୨୦୦୦ ସାଇକେଲ । ହେକ୍ସି ପକ୍ଷରୁ ୧୦୦୦ ଏବଂ ଇଲୁ ଏବଂ ୟାନା ୫୦୦ ଲେଖାଁଏ ସାଇକେଲର ଟେଣ୍ଡର ନେଲେ । ଯୋଜନା ଥିଲା ଏମିତି ଯେ, ପ୍ରମୁଖ ଛକରେ ସାଇକେଲ ଷ୍ଟାଣ୍ଡ ରହିବ । ଜଣେ ବ୍ୟକ୍ତି ସ୍ୱତନ୍ତ୍ର ଆପ୍‌ ମାଧ୍ୟମରେ ଲଗ୍‌ ଇନ୍‌ କରିବା ପରେ ସାଇକେଲର ଲକ୍‌ ଖୋଲିବେ । ସହରରେ ସାଇକେଲର ମଜା ନେବ ରାଜଧାନୀବାସୀ । ଏଥି ପାଇଁ ପଟିଆରୁ ଜୟଦେବ ବିହାର, ସ୍ମାର୍ଟଜନପଥ ସବୁଠି ଗଢା ହେଲା ନାଲି ରଙ୍ଗର ଟ୍ରାକ୍‌ । ହେଲେ ଦିନ କେଇଟା ବତିଲାନି । କୋଟି କୋଟି ଟଙ୍କାର ମୂଲ୍ୟରେ କିଣାହୋଇଥିବା ମୋ ସାଇକେଲ ଅସ୍ଥିତ୍ୱ ହରାଇଲା । ରାସ୍ତା କଡରେ ଖରା ବର୍ଷା ସହିଲା । ଠିକା ସଂସ୍ଥା ବି ସଜାଡିବା ନାଁରେ ଟଙ୍କା ନେଲେ ସତ, କିନ୍ତୁ ସାଇକେଲ ରଙ୍ଗ ବଦଳିଲାନି । ବିଏମ୍‌ସି ହାତ ଟେକିଦେଲା । ଏଥର ଦାୟିତ୍ୱ କ୍ରୁଟ ନେଲା । ସେଠି ବି ସମାନ ଅବସ୍ଥା ଦେଖାଦେଲା । ଏପରି ମୋ ସାଇକେଲ ଏ ହାତରୁ ସେ ହାତକୁ ଡେଇଁ ଘରି ଘିରି ବୁଲିଲା । ଶେଷରେ ସ୍ମାର୍ଟସିଟି ଲିମିଟେଡ୍‌ ହାତକୁ ଆସିଲା । ୨୦୨୧ରେ ହଠାତ୍‌ ରାସ୍ତାରୁ ସାଇକେଲ ଉଭାନ ହୋଇଗଲା । କବାଡିଆ ଖାନାରେ ସାଇକେଲ ୫୦ ଟଙ୍କାରେ ବିକ୍ରି ହେଲା । ଯାହା ସ୍ମାର୍ଟସିଟିର ଛବିକୁ ମଳିନ କଲା । ବହୁ ବାଦ ବିବାଦ ପରେ ଟେଣ୍ଡର ନେଇଥିବା ସଂପୃକ୍ତ ଘରୋଇ ସଂସ୍ଥାକୁ କଳା ତାଲିକାଭୁକ୍ତ କରାଗଲା । ନୂଆ ସଂସ୍ଥାକୁ ପରିଚାଳନା ଦାୟିତ୍ୱ ମିଳିଲା । ହେଲେ ସ୍ଥିତିରେ କିଛି ପରିବର୍ତ୍ତନ ଆସିଲାନି । ସେପଟେ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିବା ମୋ ସାଇକେଲ ଟ୍ରାକ ଏବେ ଉଠାଦୋକାନୀଙ୍କ କବଜାରେ । ସେପଟେ ଅର୍ବାନ ଟାଉନ ପ୍ଲାନର ପୀୟୂଷ ରାଉତ କହିଛନ୍ତି, ରାତାରାତି ମୋ ସାଇକେଲ କିଣା ହେଲା । ଏହାର ମାନ ଯାଞ୍ଚ କରାଗଲାନି । ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ମୋ ସାଇକେଲ ଟ୍ରାକରେ ରହି ପାରିଲାନି ।

Leave A Reply

Your email address will not be published.