RBI କରିବାକୁ ଯାଉଛି ବଡ ପରିବର୍ତ୍ତନ, ନୋଟ୍‌ରେ ଖୁବ୍‌ଶୀଘ୍ର ଦେଖିବାକୁ ମିଳିପାରେ ରବୀନ୍ଦ୍ରନାଥ ଟାଗୋର ଏବଂ ଅବଦୁଲ କଲାମଙ୍କ ଫଟୋ

ନୂଆଦିଲ୍ଲୀ ୬।୬: ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଥମ ଥର ବ୍ୟାଙ୍କ୍ ନୋଟ୍‌ରେ ଫଟୋ ବଦଳାଇବାକୁ ନେଇ ବିଚାର କରୁଛନ୍ତି । ଭାରତୀୟ ନୋଟ୍‌ରେ ମହାତ୍ମା ଗାନ୍ଧୀଙ୍କ ସହ ରବୀନ୍ଦ୍ରନାଥ ଟାଗୋର ଏବଂ ଡ. ଏପିଜେ ଅବଦୁଲ କଲାମଙ୍କ ଫଟୋ ରହିବା ନେଇ ବିଚାର କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ନୋଟ୍‌ରେ କେବଳ ମହାତ୍ମା ଗାନ୍ଧୀଙ୍କ ଫଟୋ ଦେଖିବାକୁ ମିଳୁଛି । ଏବେ ନୋଟ୍‌ରେ ମହାତ୍ମା ଗାନ୍ଧୀଙ୍କ ସହ ରବୀନ୍ଦ୍ରନାଥ ଟାଗୋର ଏବଂ ଏପିଜେ ଅବଦୁଲ କଲାମଙ୍କ ଫଟୋ ମଧ୍ୟ ଦେଖିବାକୁ ମିଳିପାରେ । କୁହାଯାଉଛି ଯେ, ଆରବିଆଇ କିଛି ନୋଟ୍‌ର ସିରିଜ୍‌ରେ ଟାଗୋର ଏବଂ କଲାମଙ୍କ ଫଟୋ ବ୍ୟବହାର କରିବାକୁ ବିଚାର କରୁଛନ୍ତି । ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ରିପୋର୍ଟ ଅନୁସାରେ ଅର୍ଥ ମନ୍ତ୍ରଣାଳୟ ଏବଂ ଆରବିଆଇ ଖୁବ୍‌ଶୀଘ୍ର ଏ ନେଇ ପଦକ୍ଷେପ ନେଇପାରନ୍ତି । ପ୍ରଥମ ଥର ଆରବିଆଇ ବ୍ୟାଙ୍କ୍‌ ନୋଟ୍‌ରେ ମହାତ୍ମା ଗାନ୍ଧୀଙ୍କ ବ୍ୟତୀତ ଅନ୍ୟ ପ୍ରତିଷ୍ଠିତ ବ୍ୟକ୍ତିତ୍ବଙ୍କ ଫଟୋ ବ୍ୟବହାର କରିବା ଉପରେ ବିଚାର କରୁଛନ୍ତି । ରିପୋର୍ଟ ଅନୁସାରେ ଅର୍ଥ ମନ୍ତ୍ରଣାଳୟ ଏବଂ ଆରବିଆଇ ଅଧୀନ ସିକ୍ୟୁରିଟି ପ୍ରିଣ୍ଟିଂ ଆଣ୍ଡ୍ ମିଣ୍ଟିଂ କର୍ପୋରେସନ ଅଫ୍ ଇଣ୍ଡିଆ ପକ୍ଷରୁ ଗାନ୍ଧୀ, ଟାଗୋର ଓ କଲାମଙ୍କ ଓ୍ବାଟରମାର୍କ ଫଟୋର ନମୁନାର ଦୁଇଟି ଅଲଗା ଅଲଗା ସେଟ୍ ଦିଲ୍ଲୀ ଆଇଆଇଟି ଏମୋରିଟସ ପ୍ରଫେସର ଦିଲ୍ଲୀପ ଟି ଶାହାନୀଙ୍କୁ ପଠାଇ ଦିଆଯାଇଛି । ପ୍ରଫେସର ଶାହାନୀଙ୍କୁ ଦୁଇଟି ସେଟ୍‌ରୁ ଗୋଟିଏ ସେଟ୍ ବାଛି ସରକାରଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି । ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ଏହାର ଶେଷ ନିଷ୍ପତ୍ତି ନିଆଯିବ । ଉଲ୍ଲେଖଯୋଗ୍ୟ ଯେ, ବ୍ୟାଙ୍କ୍ ନୋଟ୍‌ରେ ଏକାଧିକ ଅଙ୍କର ଓ୍ବାଟରମାର୍କକୁ ସାମିଲ କରିବା ସମ୍ଭାବନାର ପତ୍ତା ଲଗାଇବା ପାଇଁ ଏହି ପଦକ୍ଷେପ ନିଆଯାଉଛି । ଆମେରିକାରେ ଭିନ୍ନ ଭିନ୍ନ ମୂଲ୍ୟର ଡଲାରରେ ଜର୍ଜ ଓ୍ବାଶିଂଟନ୍, ବେଞ୍ଜାମିନ୍ ଫ୍ରାଙ୍କଲିନ୍, ଥମ୍‌ସ ଜେଫରସନ୍, ଏଣ୍ଡ୍ରୟୁ ଜ୍ୟାକସନ୍, ଆଲେକ୍ସଜାଣ୍ଡର ହାମିଲଟନ୍ ଏବଂ ଅବ୍ରାହମ୍ ଲିଙ୍କନଙ୍କ ସହ ଉନବିଂଶ ଶତବ୍ଦୀର କିଛି ରାଷ୍ଟ୍ରପତିଙ୍କ ଫଟୋ ରହିଛି ।

Leave A Reply

Your email address will not be published.