ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର କିଛି ଦିନ, ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ

ପୁରୀ ୦୭।୦୬: ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆଉ ମାତ୍ର କେଇଟା ଦିନ । ସେଥିପାଇଁ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ । ତିନି ରଥର ଚକ-ଅଖ ଡେରା କାର୍ଯ୍ୟ ସମ୍ପନ୍ନ ହୋଇଛି। ତିନି ରଥର ପାଞ୍ଚ ଦଣ୍ଡା ଏବଂ ପାର୍ଶ୍ବ ଦଣ୍ଡାରେ ଗୁଜ, ଜଳଯନ୍ତ୍ର, ମୁହାଁଟ ଏବଂ କୁଡୁକା ଲାଗି ପରେ ନମ୍ବରିଂ ହୋଇ ଖୋଲା ଯାଇଛି। ସେହିଭଳି ତିନି ରଥର ଗରଗରା ଚଉପଟ ସରି ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ତିନି ରଥର ଦୁଇଟି ଲେଖାଁଏ ଢ଼ମକ ଚଉପଟ କାର୍ଯ୍ୟ ଜାରି ରଖିଛନ୍ତି କାରିଗର । ଦେବଦଳନ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ କରତି ସେଵକ ମାନେ ଜାରି ରଖିଥିବା ବେଳେ ନନ୍ଦିଘୋଷ ରଥର ପୋଲ ଗୟଳ ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିଭଳି ତାଳଧ୍ଵଜ ରଥର ପୋଲ ଗୟଳ ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି।ସେପଟେ ରୂପକାର ସେବକ ମାନେ ତିନି ରଥର ଗୁଜରେ ରୂପ ଖୋଦେଇ ଶେଷ ପରେ ତିନିରଥର ସିଂହାସନରେ ଡାଳି ଲତା ଏବଂ କୁମ୍ଭ ଖୋଦେଇ କରୁଛନ୍ତି । ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ତିନି ରଥର କମାର ସେବକ ମାନେ ଗୟଳକଣ୍ଟା, ଗରଗରା କଣ୍ଟା ପରେ ଭୂଇଁ କଣ୍ଟା, ଯୋଖା କଣ୍ଟା, ଚଣାକ ଏବଂ ବାଗିଆ କଣ୍ଟା ନିର୍ମାଣ କରୁଛନ୍ତି।

Leave A Reply

Your email address will not be published.