ମାଡି ଆସୁଛି ଚତୁର୍ଥ ଲହର ! କରୋନା କଟକଣାକୁ ଭୁଲି ଗଲେଣି ଲୋକେ

ନୂଆଦିଲ୍ଲୀ ୧୦/୦୬:  ମାଡ଼ି ଆସୁଛି କରୋନା ଚତୁର୍ଥ ଲହର । ୪ ରାଜ୍ୟରେ କାୟାବିସ୍ତାର କଲାଣି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସତର୍କବାଣୀ ଦେବା ହେଲାଣି ଛାତି ଧଡ଼ ଧଡ଼ । ଜନସାଧାରଣଙ୍କୁ ଡ଼ରାଇଲାଣି ସଂକ୍ରମଣ ଭୟ । କରୋନା କଟକଣାକୁ ଲୋକେ ପାଶୋରି ଗଲେଣି । ସାମାଜିକ ଦୂରତା ରକ୍ଷା କରୁନାହାନ୍ତି କି ମାସ୍କ ଆଉ କେହି ପିନ୍ଧୁନାହାନ୍ତି । ଏଭଳି ସ୍ଥିତିରେ ସଂକ୍ରମଣକୁ ଆମନ୍ତ୍ରଣ କଲା ଭଳି ପରିସ୍ଥିତି ଉପୁଜିଛି । ଗୁରୁବାର ହଠାତ୍‌ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇଛି । କିଛି ଶିକ୍ଷାନୁଷ୍ଠାନରେ ବି ଭୂତାଣୁ ପ୍ରବେଶ କଲାଣି । ଆଗକୁ ଓଡ଼ିଶାରେ ଗଣପର୍ବ ରଜ ଆସୁଛି । ଲୋକେ ଭୋଜିଭାତ ଓ ଉତ୍ସବ ପାଇଁ ରୁଣ୍ଡ ହେବେ । ରଜ ପାଳିବା ପାଇଁ ଓଡ଼ିଶା ଫେରିବେ ପ୍ରବାସୀ । ସେମାନଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ । ଏହା ବାଦ୍‌ କଟକରେ ୧୨ତାରିଖରେ କ୍ରିକେଟ୍‌ ମ୍ୟାଚ୍‌ ହେବ । ହଜାର ହଜାର ଦର୍ଶକ ଏକାଠି ହେବେ । ସେଠି ମଧ୍ୟ ସଂକ୍ରମଣ ବିପଦ ରହିଛି । ଏ ସବୁ ପ୍ରସଙ୍ଗକୁ ନେଇ କେନ୍ଦ୍ର ଚିଠି ଲେଖି ରାଜ୍ୟ ସରକାରଙ୍କୁ ଚେତାଇ ଦେଇଛି । ଯଦି ଏବେଠାରୁ ସ୍ୱାସ୍ଥ୍ୟ ବିଭାଗ ଢିଲାପଣ ଦେଖାଇବ, ତେବେ ରାଜ୍ୟ ପାଇଁ ସମସ୍ୟା ବଢ଼ିବାର ଆଶଙ୍କା ରହିଛି । ରାଜ୍ୟରେ କୋଭିଡ୍‌ ସଂକ୍ରମଣ ନିୟନ୍ତ୍ରଣରେ ଅଛି । ୨ମାସ ହେଲାଣି ସଂକ୍ରମିତଙ୍କ ସଂଖ୍ୟା ୨୦ ଭିତରେ । ଗୁରୁବାର ରାଜ୍ୟରେ ୩୧ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୧୧ ସୁସ୍ଥ ହୋଇଛନ୍ତି । ୧୪ ଜିଲ୍ଲାରେ କୌଣସି ରୋଗୀ ଚିହ୍ନଟ ହୋଇନାହାନ୍ତି । ଉତ୍ତର ଓଡ଼ିଶାରେ ମୋଟାମୋଟି ଭାବେ ଜିଲ୍ଲାଗୁଡ଼ିକ ସଂକମ୍ରଣ ମୁକ୍ତ ରହିଛି । ସେହିପରି ଦକ୍ଷିଣ ଓଡ଼ିଶାରେ ବି ସାମାନ୍ୟ ସ୍ଥିତି ରହିଛି । ଏହାବାଦ୍‌ ପୂର୍ବ ଓଡ଼ିଶାରେ ଖୋର୍ଦ୍ଧାରେ ସର୍ବାଧିକ ୩୬ ଓ କଟକରେ ୨୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାବ୍ୟତୀତ ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ୪ ତଳେ ରହିଛି ।

Leave A Reply

Your email address will not be published.