ଶରଦ ପାଓ୍ୱାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବେ ବିରୋଧୀ !  କଂଗ୍ରେସ କରିପାରେ ସମର୍ଥନ

ନୂଆଦିଲ୍ଲୀ,୧୪/୦୬: ଆସନ୍ତା ମାସରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀ ଦଳଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି । ଯୋଗ୍ୟ ପ୍ରାର୍ଥୀଙ୍କ ନାମ ନେଇ ସେମାନଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି । ଯେଉଁ କେତେଜଣଙ୍କ ନାମ ସମ୍ପର୍କରେ ସବୁଠୁ ଅଧିକ ଚର୍ଚ୍ଚା କରାଯାଉଛି ସେମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏନ୍‌ସିପି ମୁଖ୍ୟ ଶରଦ ପାୱାର ରହିଛନ୍ତି । ଯଦି ତାଙ୍କ ନେଇ ସହମତି ହୁଏ, ତା’ ହେଲେ ସେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି । ରିପୋର୍ଟ ଅନୁସାରେ, କଂଗ୍ରେସ ପାୱାରଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରୁଛି । ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ଗୁରୁବାର ଏ ନେଇ ମୁମ୍ବାଇରେ ଶରଦ ପାୱାରଙ୍କୁ ସାକ୍ଷାତ କରିଥିଲେ । ଖଡ୍‌ଗେ ମଧ୍ୟ ଏ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ଙ୍କ ସହ ଆଲୋଚନା କରିଛନ୍ତି । ସେପଟେ ରବିବାର ଆପ୍‌ ନେତା ସଞ୍ଜୟ ସିଂହ ଶରଦ ପାୱାରଙ୍କ ସହ ଫୋନ୍‌ରେ ଆଲୋଚନା କରିଥିଲେ । ଏସବୁକୁ ଦେଖିଲେ ପାୱାରଙ୍କ ନାମ ଉପରେ ମୋହର ବାଜିପାରେ ବୋଲି କୁହାଯାଉଛି । ଶରଦ ପାୱାର ଅନେକ ମେଣ୍ଟ ଓ ମେଣ୍ଟ ସରକାର ବନାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ମହାରାଷ୍ଟ୍ରରେ ବିଜେପିକୁ କ୍ଷମତାରୁ ବେଦଖଲ କରିବା ଲାଗି ସେ ଆଦର୍ଶଗତ ଦୃଷ୍ଟିକୋଣରୁ ବିରୋଧୀ ଥିବା ଶିବସେନା, ଏନ୍‌ସିପି ଓ କଂଗ୍ରେସକୁ ଗୋଟିଏ ପ୍ଲାଟ୍‌ଫର୍ମକୁ ଆଣିଥିଲେ।

Leave A Reply

Your email address will not be published.