ଅନୁଭବ ସଂକଟ ସାହିତ୍ୟ ପ୍ରତି ବିପଦ: ସୌମ୍ୟ

ଭୁବନେଶ୍ବର : ଭାଷା ନ ବଞ୍ଚିଲେ, ଭାବ ବଞ୍ଚେନା। ଅନୁଭବ ସଂକଟ ସାହିତ୍ୟ ପାଇଁ ଶୁଭଙ୍କର ନୁହେଁ। ସମ୍ପ୍ରତି ଲେଖକମାନେ ଅନୁଭବ କାଙ୍ଗାଳ ହୋଇପଡ଼ିବା ପରିଲକ୍ଷିତ ହେଉଛି। ସ୍ବର୍ଗତ ଗୋପୀନାଥ ମହାନ୍ତି କୋରାପୁଟରୁ ହିଁ ସୁନ୍ଦର ସାହିତ୍ୟ ସୃଷ୍ଟି କରିଥିଲେ। କିନ୍ତୁ ଏବେ ଅଧ୍ୟାପକମାନେ କଟକ, ଭୁବନେଶ୍ବର ଛାଡ଼ିଯିବାକୁ ନାରାଜ। ତେଣୁ ଓଡ଼ିଆ ଭାଷାକୁ ଭଲ ପାଇବା ସହ ତାହାକୁ ବଞ୍ଚାଇବାକୁ ହେଲେ ସମାଜ ଭିତରକୁ ଯାଇ ଅନୁଭବ ସାଉଁଟିବାକୁ ପଡ଼ିବ। ବୁଧବାର ଦିନ ‘ସାହିତ୍ୟ ସଂସ୍କୃତି ସମାରୋହ’ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ‘ଜାତୀୟ ସାହିତ୍ୟ ମହୋତ୍ସବ-୨୦୨୨’ର ଉଦ୍‌ଘାଟନୀ ଅଧିବେଶନରେ ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି। ଅନୁଷ୍ଠାନର ଅଧ୍ୟକ୍ଷା ଡାକ୍ତର ଅନିତା ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ କହିିଲେ ଜଣେ ସାହିତ୍ୟିକଙ୍କ ପାଖରେ ରାଷ୍ଟ୍ରଗୁରୁ ହେବାର କ୍ଷମତା ଥାଏ। ସାହିତ୍ୟ ହିଁ ସାମାଜିକ ପରିବର୍ତ୍ତନ ଆଣିଥାଏ। ଗଣତାନ୍ତ୍ରିକ ରାଷ୍ଟ୍ରରେ ସାହିତ୍ୟ ଏବଂ ରାଜନୀତିର ଲକ୍ଷ୍ୟ ଏକ ଓ ତାହା ହେଉଛି ସମାଜର ହିତ ସାଧନ। ମାତ୍ର ସମ୍ପ୍ରତି ସାହିତ୍ୟିକ ଓ ରାଜନୈତିକ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ବିଶାଳ ପ୍ରାଚୀର ଠିଆ ହେବା ଭଳି ଅବସ୍ଥା। ଏହା ଗଣତନ୍ତ୍ର ପାଇଁ ମୋଟେ ଶୁଭଙ୍କର ନୁହେଁ। ‌ସେହିଭଳି ଗଣମାଧ୍ୟମ ମଧ୍ୟ ଏବେ ଭିନ୍ନ ପ୍ରକାର ସଂକଟ ଦେଇ ଗତି କରୁଛି ବୋଲି ସେ କହିଥିଲେ। ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ହେଲେ ସାହିତ୍ୟିକ ଓ ଗଣମାଧ୍ୟମ ଏକାଠି ହେବାକୁ ପଡ଼ିବ ବୋଲି ସେ କହିଥିଲେ।

Leave A Reply

Your email address will not be published.