ବାଲିଅନ୍ତା ସମିତି ବୈଠକରେ ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ

ବାଲିଅନ୍ତା: ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ମହିଳା ଓ ପ୍ରସୂତି ବିଭାଗ ଡାକ୍ତର ସବୁବେଳେ ଅନୁପସ୍ଥିତ ରହୁଛନ୍ତି। ମୃତ୍ୟୁ ପ୍ରମାଣପତ୍ର ପାଇବାରେ ଲୋକେ ବଡ଼ ହନ୍ତସନ୍ତ ହେଉଛନ୍ତି। ବାଳକାଟି ସ୍ବାସ୍ଥ୍ୟକେନ୍ଦ୍ର ନାଁରେ ଆସିଥିବା ଏମିତି ବହୁ ଅଭିଯୋଗ ଆଜି ବାଲିଅନ୍ତା ବ୍ଲକ ସମିତି ବୈଠକରେ ବେଶ୍ ଉତ୍ତେଜନା ସୃଷ୍ଟି କରିଥିଲା। ସବୁ ସରପଞ୍ଚ ଓ ସମିତି ସଭ୍ୟ ଏହି ସ୍ବାସ୍ଥ୍ୟକେନ୍ଦ୍ର ନାଁରେ ବର୍ଷିଥିଲେ । ଆଜି ଥିଲା ତୃତୀୟ ପଞ୍ଚାୟତ ସମିତି ବୈଠକ। ବ୍ଲକ ଅଧ୍ୟକ୍ଷା ବାସନ୍ତୀ ଖଟୁଆ ଅଧ୍ୟକ୍ଷତା କରିଥିଲେ। ବିଭିନ୍ନ ପ୍ରସଙ୍ଗ ଭିତରେ ସବୁଠୁ ଆଗରେ ରହିଲା ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କଥା। ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଅବହେଳା ପାଇଁ ରୋଗୀସେବା ବାଧାପ୍ରାପ୍ତ ହେଉଛି ବୋଲି ପ୍ରତାପଶାସନ ସମିତି ସଭ୍ୟ ଗଙ୍ଗାଧର ମାହାରି ଅଭିଯୋଗ କଲେ। ମହିଳା ଓ ପ୍ରସୂତି ବିଭାଗ ଡାକ୍ତରଙ୍କ ଅନୁପସ୍ଥିତି କଥା ଉଠାଇଲେ। ଏନେଇ ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ତନ୍ମୟ ତ୍ରିପାଠୀ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିବା କହିଥିଲେ। ଜିଲ୍ଲା ପରିଷଦ ସଭ୍ୟ ମହେଶ୍ବର ଦାଶ ମୃତ୍ୟୁ ପ୍ରମାଣପତ୍ର ପାଇବାରେ ହିତାଧିକାରୀମାନେ ହେଉଥିବା ହଇରାଣ ହରକତ କଥା କହିଥିଲେ। ବିଡିଓ ନାରାୟଣ ଚନ୍ଦ୍ର ନାୟକ ଏନେଇ ଏକ ପ୍ରସ୍ତାବ ଅଣାଯିବ ଓ ଜିଲ୍ଲା ପ୍ରଶାସନ ନିକଟକୁ ତୁରନ୍ତ ପଠାଯିବ ବୋଲି କହିଥିଲେ। ବର୍ଷା ଦିନ ‌ଆସି ଯାଇଥିବାରୁ କୂଅ, ପୋଖରୀ ଜଳରେ ବ୍ଲିଚିଂ ପକାଇବାକୁ ଦାବି କରାଯାଇଥିଲା। ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଅଚଳ ନଳକୂପ ସବୁକୁ ତୁରନ୍ତ ମରାମତି କରାଇବାକୁ ସହକାରୀ ଯନ୍ତ୍ରୀ ରଞ୍ଜନ ଘଡ଼େଇଙ୍କୁ ବିଡିଓ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.