ଝୁଲୁଛି ଇଥାନଲ୍ କାରଖାନା ଭାଗ୍ୟ: ୫୦୦ କୋଟିର ପ୍ରକଳ୍ପ, ଜାଗା ଚିହ୍ନଟ ହୋଇପାରୁନି

ନବରଙ୍ଗପୁର : ଶିଳ୍ପବିହୀନ ନବରଙ୍ଗପୁର ଜିଲ୍ଲାରେ ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ ଘୋଷଣା ହେଉଛି। ଜାଗା ବି ଚିହ୍ନଟ କରାଯାଉଛି। ହେଲେ, ଶିଳ୍ପ କାରଖାନା ପ୍ରତିଷ୍ଠା ହୋଇପାରୁନାହିଁ। ପୂର୍ବରୁ ଚିନି କାରଖାନା ଓ ପରେ ମକା ପ୍ରକ୍ରିୟାକରଣ ୟୁନିଟ୍ ପାଇଁ ଯୋଜନା ହୋଇଥିଲା। ଏବେ ଏହି ତାଲିକାରେ ଯୋଡ଼ି ହୋଇଯାଇଛି ମକାରୁ ପ୍ରସ୍ତୁତ ଇଥାନଲ୍ କାରଖାନା। ଗତବର୍ଷ ଅଗଷ୍ଟରେ ନବରଙ୍ଗପୁର ଜିଲ୍ଲା ଉମରକୋଟଠାରେ ହିନ୍ଦୁସ୍ଥାନ ପ୍ରେଟ୍ରୋଲିୟମ ନିଗମ ପକ୍ଷରୁ ୫୦୦ କୋଟି ଟଙ୍କା ନିବେଶରେ ଇଥାନଲ୍ ପ୍ରକଳ୍ପ ସ୍ଥାପନ ପାଇଁ ମଞ୍ଜୁରୀ ମିଳିଥିଲା। ଏହି ଶିଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲ ଵିଣ୍ଡୋ କ୍ଲିୟରାନ୍ସ ଅଥରିଟି ବି ମଞ୍ଜୁରୀ ଦେଇସାରିଛି। ଇତିମଧ୍ୟରେ ୧୦ ମାସ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଶିଳ୍ପ ପାଇଁ ଜାଗା ଚିହ୍ନଟ ହୋଇପାରିନି। ନବରଙ୍ଗପୁର ଜିଲ୍ଲା ମକା ଉତ୍ପାଦନରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ଜିଲ୍ଲାରେ କେବଳ ଖରିଫ୍‌ରେ ସରକାରୀ ହିସାବରେ ୬୦ ହଜାର ହେକ୍ଟର ଓ ବେସରକାରୀ ହିସାବରେ ପ୍ରାୟ ୭୫ ହଜାର ହେକ୍ଟର ଜମିରେ ମକା ଚାଷ ହେଉଛି। ରବିରେ ବି ମକା ଚାଷ କିଛି କମ୍ ନୁହେଁ। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥାତ୍‌ ୨୦୧୯ ମସିହା ଜାନୁଆରି ମାସରେ ନବରଙ୍ଗପୁରଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଏଠାରେ ଏକ ବାୟୋ ଇନ୍ଧନ କାରାଖାନା ସ୍ଥାପନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେ କହିଥିଲେ, ନବରଙ୍ଗପୁର ଜିଲ୍ଲାରେ ପ୍ରଚୁର ପରିମାଣରେ ମକା ଉତ୍ପାଦନ ହେଉଥିବାବେଳେ ଚାଷୀ ମକାର ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ମକାରୁ ବାୟୋ ଇନ୍ଧନ ବାହାରି ପାରିବ। ଏହାପରେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିଜ ପ୍ରତିଶ୍ରୁତି ରକ୍ଷାକରି ଗତ ଅଗଷ୍ଟ ମାସରେ ଉମରକୋଟ ଠାରେ ୫୦୦ କୋଟି ଟଙ୍କା ବ୍ୟୟରେ ଇଥାନଲ୍ ପ୍ଲାଣ୍ଟକୁ ମଞ୍ଜୁରୀ ଦେଇଥିଲେ।

Leave A Reply

Your email address will not be published.