ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଫୁଟିଲା ଗୁଳି: ସରପଞ୍ଚ, ସମିତିସଭ୍ୟାଙ୍କ ସ୍ବାମୀଙ୍କ ସମେତ ୫ ଗୁରୁତର

ଭୁବନ : ସରକାରୀ ଜାଗା ଦଖଲକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରାଯାଇଥିଲା। ମାତ୍ର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଗ୍ରାମ ଦୁଇଦିନ ହେଲା ଅଶାନ୍ତ ହୋଇପଡ଼ିଛି। ବୁଧବାର ଅପରାହ୍ନ ସାଢ଼େ ୪ଟା ସମୟରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁଳିମାଡ଼ ହୋଇଛି । ଏଥିରେ ସରପଞ୍ଚଙ୍କ ସ୍ବାମୀ ଓ ସମିତି ସଭ୍ୟାଙ୍କ ସ୍ବାମୀଙ୍କ ସମେତ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଭୁବନ ଡାକ୍ତରଖାନା ଓ ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।ଘଟଣା ଅନୁସାରେ, ଭୁବନ ତହସିଲ ଗଡନୃସିଂହପ୍ରସାଦ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମର କୁଣ୍ତିଗୋଡ଼ା ନିକଟରେ ଥିବା ସରକାରୀ ଜମିକୁ କେତେକ ପ୍ରଭାବଶାଳୀ ବ୍ୟକ୍ତି ଦଖଲକୁ ନେଉଥିଲେ। ଏନେଇ ଗତ ମେ ମାସ ୧୭ ତାରିଖ ଦିନ ଭୁବନଠାରେ ହୋଇଥିବା ଜନ ଶୁଣାଣିରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଥିଲା। ତହସିଲଦାର ଏ ସଂପର୍କରେ ପଦକ୍ଷେପ ନେବା ନିମନ୍ତେ ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ, ଭୁବନ ତହସିଲ ପକ୍ଷରୁ ସେପରି କୌଣସି ପଦକ୍ଷେପ ନିଆ ନଯିବାରୁ ମଙ୍ଗଳବାର ସନ୍ଧ୍ୟାରେ ବନବିଭାଗ କର୍ମଚାରୀମାନେ ପହଞ୍ଚି ସରକାରୀ ଜାଗାରୁ ଜଙ୍ଗଲ ପଦାକରିବା ଅଭିଯୋଗରେ ଦୁଇଟି ଜେସିବିକୁ ଅଟକ ରଖିଥିଲେ। ଏହାପରେ ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ ବୋମାମାଡ଼ ଓ ଫାଙ୍କା ଗୁଳିଚାଳନା ହୋଇଥିଲା। ଏଥିରେ ଭୟଭୀତ ହୋଇ ବନ ବିଭାଗ କର୍ମଚାରୀମାନେ ସ୍ଥାନ ଛାଡ଼ି ପଳାଇ ଆସିବାପରେ ଗୋଟିଏ ଜେସିବିକୁ ନେଇଯିବାରେ ସକ୍ଷମ ହୋଇଥିଲେ। ଏ ନେଇ ବନ ବିଭାଗ ପକ୍ଷରୁ ଭୁବନ ଥାନାରେ ଏତଲା ଦିଆଯାଇଛି। ଏତଲା ପରେ ପ୍ରାଶାସନିକ ଅଧିକାରୀଙ୍କୁ ସରପଞ୍ଚଙ୍କ ପକ୍ଷରୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନଥିଲା। ଫଳରେ ବୁଧବାର ଅପରାହ୍ନରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁଳିମାଡ଼ ହୋଇଥିଲା।

Leave A Reply

Your email address will not be published.