ଭୁବନେଶ୍ବର, (ଅରବିନ୍ଦ ଦାସ): ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରମୁଖ୍ୟ ଭାବେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବିରେ ଅବସ୍ଥାପିତ ହେବାକୁ ଯାଉଛନ୍ତି। ଯଦି ରାଷ୍ଟ୍ରପତି ନିର୍ବାଚନରେ ଜିତନ୍ତି, ଦେଶ ସାଧାରଣତନ୍ତ୍ର ହେବାର ୭୨ ବର୍ଷ ଭିତରେ ସେ ହେବେ ଗୋଟାପଣେ ପ୍ରଥମ ଓଡ଼ିଆ। ଦେଶର ୪ର୍ଥ ରାଷ୍ଟ୍ରପତି ଭିଭି ଗିରିଙ୍କୁ ଧରିଲେ ମୁର୍ମୁ ହେବେ ଦ୍ବିତୀୟ ଓଡ଼ିଆ। ଓଡ଼ିଶା ପାଇଁ ନିଶ୍ଚିତ ଏହା ଏକ ବଡ଼ ଖବର। ଭିନ୍ନମତ ତ ରହିବ। ରାଜେନ୍ଦ୍ର ପ୍ରସାଦ, ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ଜାକିର ହୁସେନ, ଏପିଜେ ଅବ୍ଦୁଲ କଲାମଙ୍କ ଭଳି ଦିଗ୍ଗଜ ବ୍ୟକ୍ତିତ୍ବଙ୍କ ଉତ୍ତରାଧିକାରିଣୀ ଭାବେ ଦ୍ରୌପଦୀଙ୍କ ପ୍ରାର୍ଥିତ୍ବ କେତେ ଯୁକ୍ତିଯୁକ୍ତ ସେ ନେଇ ମୁଷ୍ଟିମେୟ ହେଲେ ବି କିଛି ସ୍ତରରେ ପ୍ରଶ୍ନ ଉଠିବା ସ୍ବାଭାବିକ। ମିଳିତ ବିରୋଧୀ ଦଳ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ତୁଳନାରେ ଦ୍ରୌପଦୀ କେତେ ଯୋଗ୍ୟ, ସେ ନେଇ ମଧ୍ୟ ଅନେକେ ଯୁକ୍ତି ବାଢ଼ିବେ। ଅନ୍ୟପକ୍ଷରେ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପଛରେ ଓଡ଼ିଶାର ସ୍ବାର୍ଥରକ୍ଷା ନୁହେଁ, ବରଂ ମୋଦୀ ନିଜକୁ ସୁରକ୍ଷିତ ରଖିବା ହିଁ ମୂଳ ଉଦ୍ଦେଶ୍ୟ ବୋଲି ମଧ୍ୟ ସାମାଜିକ ଗଣମାଧ୍ୟମରେ ଗୁଂଜରଣ ସୃଷ୍ଟି ହୋଇଛି। ଆହୁରି ମଧ୍ୟ କାଁଭାଁ କେତେବେଳେ କେମିତି (ଗତଥରର ଉପରାଷ୍ଟ୍ରପତି ନିର୍ବାଚନ ପରି) ନବୀନ ଗୋଠଛଡ଼ା ହେବାର ଆଶଙ୍କା ରହୁଥିବାରୁ ଦ୍ରୌପଦୀଙ୍କୁ ପ୍ରାର୍ଥୀ କରି ତାଙ୍କୁ ସମର୍ଥନ କରିବା ନିମନ୍ତେ ବିଜେଡିକୁ ଏକରକମ ବାଧ୍ୟ କରିବା ପାଇଁ ଏହା ମୋଦୀଙ୍କର ଏକ ସୁଚିନ୍ତିତ ରଣନୀତି ବୋଲି ମଧ୍ୟ ରାଜ୍ୟର ତଥ୍ୟାଭିଜ୍ଞ ମହଲ ମୁଖରିତ ହୋଇଉଠିଛନ୍ତି। କାରଣ ଯାହା ହେଉ ନା କାହିଁକି, ଅଧିକାଂଶ ସଚେତନ ଓଡ଼ିଶାବାସୀ ସ୍ବାଭାବିକ ଭାବେ ଉଲ୍ଲସିତ ହୋଇଉଠିଛନ୍ତି। ମୋଦୀଙ୍କ ପୁର୍ବାନୁମାନ ଅନୁସାରେ ଦ୍ରୌପଦୀ ରାଷ୍ଟ୍ରପତି ଭାବେ କେତେ ମହାନ ହୋଇପାରିବେ, ବିଶ୍ବର ବୃହତ୍ତମ ଗଣତନ୍ତ୍ରେର ସମ୍ବିଧାନର ଅଭିଭାବକ ଭାବେ ଦ୍ରୌପଦୀଙ୍କୁ ଇତିହାସ କେତେ ମନେ ରଖିବ ସେ ତ ଅଲଗା କଥା। କିନ୍ତୁ ରାଜ୍ୟରେ ପୂର୍ବରୁ ସାଧାରଣରେ ରହିଆସିଥିବା ଆଉ ଏକ ଧାରଣା ଦ୍ରୌପଦୀଙ୍କ ମନୋନୟନ ଯୋଗୁଁ ସମସ୍ତଙ୍କ ଅଲକ୍ଷ୍ୟରେ ଅଧିକ ବଳଶାଳୀ ହୋଇଛି। ଦେଖାଯାଇଛି ଯେ କେନ୍ଦ୍ରରେ କଂଗ୍ରେସ ନେତୃତ୍ବାଧୀନ ସରକାର ଅମଳରେ ଓଡ଼ିଶାର ପ୍ରତିନିଧିତ୍ବ ଆଶାନୁରୂପ ରହେନାହିଁ। ଅନ୍ୟପକ୍ଷରେ କେନ୍ଦ୍ରରେ ଅଣକଂଗ୍ରେସ ଶାସନରେ ଓଡ଼ିଶା ଅଧିକ ଗୁରୁତ୍ବ ପାଏ। ହିସାବ ଅତି ସ୍ପଷ୍ଟ। ଦେଶର ସର୍ବୋଚ୍ଚ ନୀତିନିର୍ଦ୍ଧାରଣକାରୀ ସଂସ୍ଥା କେନ୍ଦ୍ର କ୍ୟାବିନେଟରେ ଓଡ଼ିଶାର ପ୍ରତିନିଧିତ୍ବ କଥା ଧରାଯାଉ। କେନ୍ଦ୍ରରେ କଂଗ୍ରେସର ୪୯ ବର୍ଷର ଶାସନରେ ଓଡ଼ିଶାରୁ ମାତ୍ର ଦୁଇଜଣଙ୍କୁ କ୍ୟାବିନେଟରେ ସ୍ଥାନ ମିଳିଥିବା ବେଳେ ଅଣକଂଗ୍ରେସ ସରକାରଗୁଡ଼ିକ ୨୧ ବର୍ଷରେ ଓଡ଼ିଶାରୁ ୯ ଜଣଙ୍କୁ ସ୍ଥାନ ଦେଇଛନ୍ତି। ୧୯୭୭ ଯାଏ କଂଗ୍ରେସ କେନ୍ଦ୍ରରେ ନିରବଚ୍ଛିନ୍ନ ଭାବେ ଶାସନରେ ଥିବା ବେଳେ କେବଳ ଡ.ହରେକୃଷ୍ଣ ମହତାବ ଏକମାତ୍ର ଓଡ଼ିଆ ଭାବେ ସ୍ଥାନ ପାଇପାରିଥିଲେ। ସେହିପରି ୧୯୮୦ରେ କ୍ଷମତାକୁ ଫେରି ଇନ୍ଦିରା ଗାନ୍ଧୀ ଓଡ଼ିଶାରୁ ଜେ.ବି. ପଟ୍ଟନାୟକଙ୍କୁ ତାଙ୍କ କ୍ୟାବିନେଟେର ସ୍ଥାନ ଦେଇଥିଲେ। ତାଙ୍କ ପରେ ରାଜୀବ ଗାନ୍ଧୀ (୧୯୮୪-୮୯), ପିଭି ନରସିଂହ ରାଓ (୧୯୯୧-୯୬) ଓ ଡ.ମନମୋହନ ସିଂହ (୨୦୦୪-୨୦୧୪) କଂଗ୍ରେସ ନେତୃତ୍ବାଧୀନ ସରକାରର ପ୍ରଧାନମନ୍ତ୍ରୀ ହୋଇ ଓଡ଼ିଶାରୁ ବେଶ ଭଲ ସଂଖ୍ୟାରେ ଲୋକସଭା ଆସନ ଜିତିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କେହିହେଲେ ଓଡ଼ିଶାର ଜଣକୁ ମଧ୍ୟ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ଦେଇନଥିଲେ। ଜଣେ ଦୁଇଜଣ ସାଂସଦଙ୍କୁ ରାଷ୍ଟମନ୍ତ୍ରୀ ବା ସ୍ବାଧୀନ ଦାୟିତ୍ବର ରାଷ୍ଟ୍ରମନ୍ତ୍ରୀ ଭାବେ ନିଯୁକ୍ତ କରୁଥିଲେ। ଅପରପକ୍ଷେ, ୧୯୭୭ରେ ଜନତା ପାର୍ଟି ନେତୃତ୍ବାଧୀନ ସରକାରରେ ବିଜୁବାବୁଙ୍କଠାରୁ ଆରମ୍ଭ କରି ଏବର ମୋଦୀ ସରକାରରେ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବଙ୍କୁ ମିଶାଇ ୨୧ ବର୍ଷରେ ଓଡ଼ିଶାରୁ ମୋଟ ୯ ଜଣ ଅଣକଂଗ୍ରେସ ନେତା କେନ୍ଦ୍ର କ୍ୟାବିନେଟରେ ସ୍ଥାନ ପାଇଛନ୍ତି (ଅନ୍ୟମାନେ ହେଲେ ରବି ରାୟ, ନୀଳମଣି ରାଉତରାୟ, ଶ୍ରୀକାନ୍ତ ଜେନା, ନବୀନ ପଟ୍ଟନାୟକ, ଅର୍ଜୁନ ସେଠୀ ଓ ଜୁଏଲ ଓରାମ। ଖାଲି ସେତିକି ନୁହେଁ, ବିଭିନ୍ନ ସମୟରେ ଓଡ଼ିଶାକୁ ଜଳସମ୍ପଦ, ପେଟ୍ରୋଲିୟମ, ରେଳ ଓ ଶିକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ଦାୟିତ୍ବ ମଧ୍ୟ ମିଳିଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର, ଭାରତର ମହାଲେଖାକାର ଭଳି ଗୁରୁତ୍ବପୂର୍ଣ୍ଣ ପଦବିରେ ମଧ୍ୟ ଅଧୁନା ଓଡ଼ିଆ ଅଧିକାରୀମାନେ ଅଧିଷ୍ଠିତ ହୋଇଛନ୍ତି।ଏମିତିରେ ମଧ୍ୟ ମୂଳରୁ ଓଡ଼ିଶା ସତୁରୀ ଦଶକର ଶେଷଯାଏ ମିଳିତ ରାଜନୀତିର ପ୍ରୟୋଗଶାଳା ହୋଇଆସିଥିଲା। ତେବେ ଏହି ଧାରାକୁ ବଦଳାଇ ଅନ୍ୟ କେତେକ ପ୍ରମୁଖ ରାଜ୍ୟଭଳି ଅଶୀ ଦଶକରେ କଂଗ୍ରେସ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଏକତରଫା ଜନାଦେଶ ପାଇଥିଲା। ୧୯୯୫ରେ କଂଗ୍ରେସ ପୁଣି କ୍ଷମତାକୁ ଫେରିବା ସହ ପରବର୍ତ୍ତୀ ସମୟରେ ବିଜେଡିର ଅଭ୍ୟୁଦୟ ସତ୍ତ୍ବେ ୨୦୧୯ ଯାଏ ରାଜ୍ୟରେ ଦ୍ବିତୀୟ ସ୍ଥାନରେ ରହିବାରେ ସମର୍ଥ ହୋଇଥିଲା। ଦିନ ଥିଲା, ରାଜନୈତିକ ବିଶ୍ଳେଷକମାନେ କହୁଥିଲେ, ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତାରେ କଂଗ୍ରେସକୁ ଲାଭ। ଏହି ସମୀକରଣ ବଦଳି ଯାଇଛି। ବିଜେଡି-ବିଜେପି ଚତୁରେ ଚତୁରେ କେଳାକୋଳି ହୋଇ ମଧ୍ୟ ଯଦି କଂଗ୍ରେସ ରାଜ୍ୟରେ ଏହାର ଫାଇଦା ଉଠାଇପାରୁନି, ଅନେକଗୁଡ଼ିଏ କାରଣ ମଧ୍ୟରୁ ରାଜ୍ୟ କଂଗ୍ରେସ ପ୍ରତି ହାଇକମାଣ୍ଡଙ୍କ ହେୟଜ୍ଞାନ ବେଶ କିଛି ପରିମାଣରେ ଦାୟୀ। ୧୯୮୦ରେ ଇନ୍ଦିରା ଗାନ୍ଧୀ ଯେମିତି ଜେ.ବି.ଙ୍କ ପରି ନେତା ଓଡ଼ିଶା କଂଗ୍ରେସରେ ତିଆରି କରିଥିଲେ, ଅନୁରୂପ ଭାବେ କେନ୍ଦ୍ରୀୟ ନେତୃତ୍ବ ରାଜ୍ୟ କଂଗ୍ରେସକୁ ଗୁରୁତ୍ବ ନଦେଲେ ରାଜ୍ୟବାସୀ ଦଳକୁ ଗୁରୁତ୍ବ ଦେବେନାହିଁ। ଅନ୍ୟପକ୍ଷରେ ଦ୍ରୌପଦୀଙ୍କ ପ୍ରାର୍ଥିତ୍ବ ପ୍ରସଙ୍ଗରେ ମାଟି ଅପେକ୍ଷା ପାର୍ଟିକୁ ଗୁରୁତ୍ବ ଦେବାନେଇ ରାଜ୍ୟ କଂଗ୍ରେସର କିଛି ନେତାଙ୍କ ଆଭିମୁଖ୍ୟକୁ ରାଜ୍ୟବାସୀ ଗ୍ରହଣ କରିବା ଭଳି ଲାଗୁନାହିଁ। ତୁଳନା ହେଲେ କଂଗ୍ରେସ ପୁଣି ପଛରେ ରହିଯିବ। କାରଣ କ୍ରମବର୍ଦ୍ଧିଷ୍ଣୁ ଆଞ୍ଚଳିକ ଭାବାବେଗ ଓ ଅସ୍ମିତା ଆଗରେ ଅନ୍ୟ ସମସ୍ତ ପ୍ରସଙ୍ଗ ଗୋୖଣ ହୋଇଯିବା ଧାରା ସମଗ୍ର ଦେଶରେ ଆରମ୍ଭ ହୋଇଛି।