ଆଜିଠୁ ଜେଇଇ ମେନ୍‌-୧

ଭୁବନେଶ୍ବର : ୨୦୨୨ ଶିକ୍ଷାବର୍ଷରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି (ଗୁରୁବାର)ଠାରୁ ଜେଇଇ ମେନ୍‌-୧ ତଥା ପ୍ରଥମ ସେସନ୍‌ ଅନୁଷ୍ଠିତ ହେବ। ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଜାରି ରହିବ। ପରୀକ୍ଷା ଲାଗି ଦେଶ ଭିତରେ ୫୦୧ ଓ ବିଦେଶରେ ୨୨ଟି ସହରରେ କେନ୍ଦ୍ର ହୋଇଛି। ଓଡ଼ିଶାର ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ଲାଗି ୨୪ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ପ୍ରତିଦିନ ଦୁଇଟି ସିଫ୍ଟରେ ପରୀକ୍ଷା କରାଯିବ। ପ୍ରଥମ ସିଫ୍ଟ ପରୀକ୍ଷା ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଓ ଦ୍ବିତୀୟ ସିଫ୍ଟ ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ଚାଲିବ। ସକାଳ ୭ଟା ୩୦ରୁ ୮ଟା ୩୦ ଏବଂ ଅପରାହ୍ନ ୧ଟା ୩୦ରୁ ୨ଟା ୩୦ ମଧ୍ୟରେ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବେ। ପରୀକ୍ଷା ୧୫ ମିନିଟ୍‌ ପୂର୍ବରୁ ସମସ୍ତ ପରୀକ୍ଷାର୍ଥୀ ହଲ୍‌ରେ ବସିବାକୁ କୁହାଯାଇଛି। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମ‌ରେ ହେବାକୁ ଥିବା ଏହି ପରୀକ୍ଷା କରୋନା କଟକଣା ମଧ୍ୟରେ ହେବ। ପରୀକ୍ଷାର୍ଥୀଙ୍କ ଲାଗି ମାସ୍କ ବାଧ୍ୟତାମୂଳକ କରାଯାଇଛି ଓ ପରୀକ୍ଷା କେନ୍ଦ୍ରରେ ହିଁ ଏହା ଯୋଗାଇ ଦିଆଯିବ। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଓ ଜାମର ଲାଗିଛି। କେନ୍ଦ୍ର ଭିତରକୁ ପ୍ରବେଶ ସମୟରେ ପରୀକ୍ଷାର୍ଥୀଙ୍କୁ ଏକ ଓରିଜନାଲ ପ୍ରମାଣପତ୍ର ଯଥା ପ୍ୟାନ୍‌ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଭୋଟର ପରିଚୟପତ୍ର, ପାସ୍‌ପୋର୍ଟ, ଆଧାରକାର୍ଡ(ଫଟୋ ସହ), ଇ-ଆଧାର, ରାସନ କାର୍ଡ, ଦ୍ବାଦଶ ଶ୍ରେଣୀ ଆଡମିଟ୍‌ କାର୍ଡ ଦେଖାଇବାକୁ ହେବ। ଡାଇବେଟିସ୍‌ ପରୀକ୍ଷାର୍ଥୀ ଟାବଲେଟ୍‌ ସାଙ୍ଗରେ ନେଇପାରିବେ। ରଫ୍‌ ପାଇଁ ପରୀକ୍ଷା କେନ୍ଦ୍ର ଭିତରେ ଏ୪ ସାଇଜ୍‌ ପେପର୍‌ ଯୋଗାଇ ଦିଆଯିବ ବୋଲି ଏନ୍‌ଟିଏ ପକ୍ଷରୁ କୁହାଯାଇଛି। ପରୀକ୍ଷାର୍ଥୀଙ୍କ ଲାଗି ଗତ ୨୧ ତାରିଖରୁ ଆଡମିଟ୍‌ କାର୍ଡ ଜାରି ହୋଇଛି। ଯଦି କୌଣସି ପରୀକ୍ଷାର୍ଥୀ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବେ ସେମାନେ ଜେଇଇ ୱେବସାଇଟ୍‌କୁ ମେଲ୍‌ କରି କିମ୍ବା ୦୧୧-୪୦୭୫୯୦୦୦ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି। ଏଥର ଡାକ ଯୋଗେ କୌଣସି ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡ ପଠାଯାଇ ନାହିଁ। ଯଦି କୌଣସି ପରୀକ୍ଷାର୍ଥୀ ଏକାଧିକ ଆପ୍ଲିକେସନ ଫର୍ମ ଦାଖଲ କରିଥାନ୍ତି ତେବେ ସେମାନଙ୍କ ଆଡମିଟ୍‌ କାର୍ଡ ସ୍ଥଗିତ ରଖାଯାଇଛି। ଜୁଲାଇ ୪ର୍ଥ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ।

Leave A Reply

Your email address will not be published.