ଭବାନୀପାଟଣା : କଳାହାଣ୍ଡି ଜଙ୍ଗଲରୁ ଉଦ୍ବେଗଜନକ ଭାବେ ବାଘ ସଂଖ୍ୟା ହ୍ରାସ ପାଉଛି। ଯାହା ବି ଦେଖିବାକୁ ମିଳୁଛି, ତାହା କେବଳ ଚିତାବାଘ। କେବଳ ଗୋଟିଏ ମାତ୍ର ମହାବଳ ଥିବା ବାଘ ଗଣନାରୁ ଜଣାପଡ଼ିଛି। ଜିଲ୍ଲାରେ ଯେଉଁଭଳି ଭାବେ ଶିକାରୀ ସକ୍ରିୟ ଅଛନ୍ତି, ତାହା ବାଘସଂଖ୍ୟା ହ୍ରାସର କାରଣ ପାଲଟିଛି। ଓଡ଼ିଶା, ଛତିଶଗଡ଼ ଓ ମହାରାଷ୍ଟ୍ରକୁ ବନ୍ୟପ୍ରାଣୀ ଅପରାଧର ଚେର ଲମ୍ବିଥିବା କୁହାଯାଉଛି। ଉଦ୍ବେଗର ବିଷୟ ବନବିଭାଗ ଏହାର ଟେର୍ ପାଉନି। ସୂଚନା ଅନୁସାରେ, ଗତବର୍ଷ ହୋଇଥିବା ବାଘ ଗଣନାରୁ ଉତ୍ତର ବନଖଣ୍ଡରେ କୌଣସି ମହାବଳ ନଥିବାବେଳେ ୧୭ଟି ହାତୀ ଥିବା ଜଣାପଡ଼ିଥିଲା। କେବଳ ଚିତାବାଘ ଦେଖିବାକୁ ମିଳିଥିଲା। ସେହିଭଳି, ଦକ୍ଷିଣ ବନଖଣ୍ଡରେ ବ୍ୟାଘ୍ର ଗଣନାରେ ମାତ୍ର ଗୋଟିଏ ମହାବଳ ଥିବା ଜଣାପଡ଼ିଥିଲା । ଅନ୍ୟପକ୍ଷରେ; ୪୬ଟି ଚିତାବାଘ, ୨ଟି ହାତୀ ଥିବାବେଳେ କର୍ଲାପାଟ ଓ ବିଶ୍ବନାଥପୁର ଅଞ୍ଚଳକୁ ଅନ୍ୟ ଅଞ୍ଚଳର ହାତୀ ମଧ୍ୟ ଆସୁଥିବା ଦେଖିବାକୁ ମିଳିଥିଲା। ମାତ୍ର, ଏହି ଚିତାବାଘ ବଂଶ ମଧ୍ୟ ଲୋପ ପାଇବାକୁ ଯାଉଛି। ଜିଲ୍ଲାରେ ଶିକାରୀମାନେ ସକ୍ରିୟ ରହିଥିବାବାରୁ ଏହି ବାଘବଂଶ ପ୍ରତି ବିପଦ ସୃଷ୍ଟି ହୋଇଥିବା କୁହାଯାଉଛି।