ଦୟନୀୟ ସ୍ଥିତିରେ ଜେଲ୍‌ ଚିକିତ୍ସା ବ୍ୟବସ୍ଥା: ୨୦ ହଜାର କଏଦୀଙ୍କୁ ୩୨ ଡାକ୍ତର

କଟକ : ରାଜ୍ୟରେ ୮୮ ଜେଲ୍‌ରେ ଚିକିତ୍ସା ବ୍ୟବସ୍ଥା ଏଭଳି ବିପର୍ଯ୍ୟସ୍ତ ହୋଇପଡ଼ିଛି ଯେ କଏଦୀ ଡାକ୍ତରୀ ଚିକିତ୍ସା ପାଇଁ ବିକଳ ହେଉଛନ୍ତି। ୧୯ ହଜାର ୭୯୯ ଜଣ କଏଦୀଙ୍କୁ ଚିକିତ୍ସା କରିବାକୁ ଅଛନ୍ତି ମାତ୍ର ୩୪ ଜଣ ଡାକ୍ତର। କରୋନା ପରେ ଜେଲ୍‌ରେ ମାନସିକ ରୋଗୀ ସଂଖ୍ୟା ବୃଦ୍ଧି ପାଇ ୭୯୨ରେ ପହଞ୍ଚିଛି। ଏତେସଂଖ୍ୟକ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ କିନ୍ତୁ ଜଣେ ମାନସିକ ରୋଗ ଡାକ୍ତର ଅଛନ୍ତି। ବିପିଆରଡି(ବ୍ୟୁରୋ ଅଫ୍ ପୁଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ)ର ନୂଆ ନିର୍ଦ୍ଦେଶାବଳୀ ଆଧାରରେ ଓଡ଼ିଶା ସରକାର ଜେଲରେ ଡାକ୍ତର ପଦବି ସଂଖ୍ୟା ତରବରିଆ ବୃଦ୍ଧି କରି ଦେଇଛନ୍ତି। କିନ୍ତୁ, ଡାକ୍ତର ନିଯୁକ୍ତି ହୋଇନାହିଁ। ଚିକିତ୍ସା ଭଳି ମୌଳିକ ସୁବିଧା କଏଦୀଙ୍କୁ ଯୋଗାଇ ନପାରି ବିପିଆରଡିକୁ କେବଳ ଅନ୍ଧାରରେ ରଖିଛନ୍ତି ସରକାର। କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରୁଥିବା ବିପିଆରଡି(ବ୍ୟୁରୋ ଅଫ୍ ପୁଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ) ୨୦୨୦ ସେପ୍ଟେମ୍ବର ୨୮ ତାରିଖରେ ଜାରି କରିଥିବା ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ରାଜ୍ୟରେ ଜେଲ୍‌ଗୁଡ଼ିକୁ ‘ଏ’ ଓ ‘ବି ଦୁଇଟି ଶ୍ରେଣୀରେ ଭାଗ କରାଯାଇଛି। ୩୦ରୁ ଅଧିକ ବେଡ୍ ଥିବା ଜେଲ୍‌ର ଡାକ୍ତରଖାନାକୁ ‘ଏ’ ଶ୍ରେଣୀଭୁକ୍ତ କରାଯାଇଛି। ଏହି ଶ୍ରେଣୀର ଜେଲ୍‌ରେ ୩ ଜଣ ଡାକ୍ତର, ୩ ଜଣ ନର୍ସ, ୪ ଜଣ ଫାର୍ମାସିଷ୍ଟ, ୩ ଜଣ ନର୍ସିଂ ଆଟେଣ୍ଡାଣ୍ଟ, ଜଣେ ସାଇକ୍ରିଆଟିକ୍ ଡାକ୍ତର, ୨ ଜଣ ଲାବୋରେଟୋରି ଟେକ୍ନିସିଆନ୍ ରହିବେ। ସେହିଭଳି ୩୦ରୁ କମ୍ ବେଡ୍ ଥିବା ଜେଲ୍‌ର ଡାକ୍ତରଖାନାକୁ ‘ବି’ ଶ୍ରେଣୀଭୁକ୍ତ କରାଯାଇଥିବା ବେଳେ ସେଠାରେ ୨ ଜଣ ଡାକ୍ତର, ଦୁଇ ଜଣ ନର୍ସ, ୩ ଜଣ ଫାର୍ମାସିଷ୍ଟ, ୨ ଜଣ ନର୍ସିଂ ଆଟେଣ୍ଡାଣ୍ଟ, ଜଣେ ଲେଖାଏ ସାଇକ୍ରିଆଟିକ୍ ଡାକ୍ତର, ଜଣେ ଲାବୋରେଟୋରି ଟେକନିସିଆନ୍ ରହିବା ନେଇ ସ୍ପଷ୍ଟ ନିର୍ଦ୍ଦେଶନାମା ଓଡ଼ିଶାର ଜେଲ୍ ବିଭାଗ ନିକଟରେ ରହିଛି।

Leave A Reply

Your email address will not be published.