ଲଘୁଖଣିଜ ପରିଚାଳନାରେ ଅନିୟମିତତା: କାଠଗଡ଼ାରେ ୨୨ ତହସିଲଦାର

ଯାଜପୁର : ଲଘୁଖଣିଜ ସମ୍ପଦ କେଳେଙ୍କାରୀକୁ ନେଇ ରାଜସ୍ବ ବିଭାଗ ନାକେଦମ୍। ଲଘୁଖଣିଜ ସମ୍ପଦ ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ଓ ଅନିୟମିତତା ପାଇଁ ତହସିଲଦାର ଓ ତାଙ୍କ ସହଯୋଗୀମାନେ ଫସିବାରେ ଲାଗିଛନ୍ତି। ଯାଜପୁର ଜିଲ୍ଲାର ୨ଟି ତହସିଲର ୨୨ଜଣ ତହସିଲଦାର ଏହି କେଳେଙ୍କାରୀରେ ଫସିଛନ୍ତି। ଲଘୁ ଖଣିଜ ସମ୍ପଦରେ ଯାଜପୁର ଜିଲ୍ଲା ଭରପୁର । ଜିଲ୍ଲାର ତହସିଲଗୁଡ଼ିକ ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ସେବାରୁ ଦୂରେଇ ଯାଇ ଲଘୁ ଖଣିଜ ବ୍ୟବସାୟରେ ମାତିଛନ୍ତି। ପରିସ୍ଥିତିକୁ ଠିକଣା ଢଙ୍ଗରେ ନିୟନ୍ତ୍ରଣ କରିପାରୁନଥିବା ଅଧିକାରୀମାନେ ମଧ୍ୟ ବିଭିନ୍ନ ସମୟ‌ରେ ବାଲି ଓ ପଥର ମାଫିଆଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଅନ୍ୟ କେତେକ ଅଧିକାରୀ ଆଇନ୍‌ର ଗଳାବାଟରେ କୋଟିପତି ଲଘୁଖଣିଜ ବ୍ୟବସାୟୀଙ୍କୁ ଅହେତୁକ ଅନୁକମ୍ପା ଦେଖାଇ କାଠଗଡ଼ାରେ ଠିଆ ହେଉଛନ୍ତି।ରାଜ୍ୟର ଅନ୍ୟତମ ଧନୀ ତହସିଲ ଧର୍ମଶାଳାର କଳାପଥର କେଳେଙ୍କାରୀ ତଦନ୍ତ ପରିସରଭୁକ୍ତ ହୋଇଥିବା ବ‌େଳେ ଜିଲ୍ଲା ସଦର ମହକୁମା ଯାଜପୁର ତହସିଲର ରୟାଲଟି ଅର୍ଥ ଚଳୁ କରି ଅଧିକାରୀ ଓ କର୍ମଚାରୀ ଅଡିଟ୍‌ରେ ଧରାପଡ଼ିଛନ୍ତି। ଧର୍ମଶାଳା ତହସିଲ ଅଧୀନ ଡଙ୍କାରୀ ପାହାଡ଼ର ୫୮କୋଟି ୬୨ଲକ୍ଷ ଟଙ୍କା କଳାପଥର କେଳେଙ୍କାରୀ ମାମଲାରେ ୧୦ଜଣ ତହସିଲଦାର, ୬ଜଣ ଉପଜିଲ୍ଲାପାଳ ଓ ୧୦ ଆରଆଇଙ୍କ ବିଚାର ଚାଲିଛି। ଏହି ତହସିଲର ଆରୁହା ପାହାଡ଼ରେ ୧୦କୋଟି ଟଙ୍କା ଜରିମାନା ମାମଲାରେ ୪ଜଣ ତହସିଲଦାର ଓ ୨ଜଣ ଆରଆଇଙ୍କ ନାମରେ ଅର୍ଥନୈତିକ ଅପରାଧ ଶାଖା ତଦନ୍ତ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି, ଯାଜପୁର ତହସିଲର ୪କୋଟି ୯୪ଲକ୍ଷ ଟଙ୍କା ରାଜସ୍ବ ହଡ଼ପ ଘଟଣାରେ ୮ ତହସିଲଦାରଙ୍କ ସମେତ ୨୧ କର୍ମଚାରୀ ଫସିଛନ୍ତି।

Leave A Reply

Your email address will not be published.