ଭୁବନେଶ୍ୱର‌ରେ ପଶ୍ଚିମବଙ୍ଗ ଛାତ୍ରୀ ନିଖୋଜ

ଭୁବନେଶ୍ବର : ଛୁଟି ସାରି ପାଠପଢ଼ା ପାଇଁ ପଶ୍ଚିମବଙ୍ଗରୁ ଭୁବନେଶ୍ବର ଆସିଥିଲେ। ଏଠି ଷ୍ଟେସନ୍‌ରେ ପହଞ୍ଚିବାର ଅଧଘଣ୍ଟାଏ ପରେ ନିଖୋଜ ହୋଇଗଲେ। ରାଜଧାନୀର ଛାତି ଉପରୁ ଜଣେ ଏରୋସ୍ପେସ୍‌ ଇଞ୍ଜିନୟରିଂ ଛାତ୍ରୀଙ୍କ ନିଖୋଜ ଏବେ ଚର୍ଚ୍ଚ‌ାର ବିଷୟ ପାଲଟିଛି। ସେ ହେଲେ, ପଶ୍ଚିମବଙ୍ଗ ଜେସର୍‌ ରୋଡ୍‌ ଅଞ୍ଚଳର ସ୍ବିଟି ରୟ। ତାଙ୍କ ନିଖୋଜ ନେଇ ରେଳବାଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତନାଘନା ଆରମ୍ଭ କରିଛି। ଷ୍ଟେସନ୍‌ର ସିସିଟିଭିରେ ଛାତ୍ରୀଙ୍କୁ ଜଣେ ଯୁବକ ପିଛା କରୁଥିବା କଏଦ୍‌ ହୋଇଛି। ଛାତ୍ରୀ ଯାଉଥିବା ବେଳେ ଯୁବକଜଣଙ୍କ ତାଙ୍କୁ ପିଛା କରିବା ସନ୍ଦେହଘେରକୁ ଟାଣିଛି। ଯୁବକଜଣଙ୍କ କିଏ? ଛାତ୍ରୀଙ୍କ ସହ ତାଙ୍କର କ’ଣ ସମ୍ପର୍କ? ସେ ଛାତ୍ରୀଙ୍କୁ ଅପହରଣ କରିନାହାନ୍ତି ତ? ଏମିତି ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ମୁତାବକ, ସ୍ବିଟି ଖଣ୍ଡଗିରିରେ ଥିବା ଉତ୍କଳ ଏରୋସ୍ପେସ ଆଣ୍ଡ ଇଞ୍ଜିନୟରିଂ କଲେଜର ଦ୍ୱିତୀୟ ବର୍ଷ ଛାତ୍ରୀ। ସପ୍ତାହ ତଳେ ସେ ଘରକୁ ଯାଇଥିଲେ। ବୁଧବାର ପଶ୍ଚିମବଙ୍ଗରୁ ଜନଶତାବ୍ଦୀ ଟ୍ରେନ୍‌ରେ ଭୁବନେଶ୍ବର ଆସିଥିଲେ। ରାତି ପାଖାପାଖି ୮ଟା ୧୫ରେ ମାଷ୍ଟରକ୍ୟାଣ୍ଟିନ୍‌ ରେଳଷ୍ଟେସନ୍‌ର ପ୍ଲାଟ ଫର୍ମ ନଂ-୬ରେ ଓହ୍ଲାଇଥିଲେ। ଓହ୍ଲାଇବା ପରେ ମା’ଙ୍କୁ ଫୋନ୍‌ କରି ପହଞ୍ଚିଲେ ବୋଲି ଜଣାଇ ଦେଇଥିଲେ। ପରେ ସେ ୮ଟା ୨୫ରେ ମୁଖ୍ୟ ଫାଟକରୁ ବାହାରକୁ ବାହାରିଥି‌ଲେ। ସେହି ସମୟରେ ଜଣେ ଯୁବକ ତାଙ୍କୁ ପିଛା କରୁଥିଲେ। ସ୍ବିଟି ଗେଟ୍‌ରୁ ବାହାରି ରିଲାଏନ୍ସ ଫ୍ରେସ୍‌ ନିକଟକୁ ଚାଲି ଚାଲି ଯାଇଥିଲେ। ଯୁବକଜଣଙ୍କ ମଧ୍ୟ ତାଙ୍କ ପଛେ ପଛେ ଯାଇଥିଲେ। ସେଠାରେ ଉଭୟ ଠିଆ ହେ ବାର ୧୦ରୁ ୧୫ମିନିଟ୍‌ ପରେ ଛାତ୍ରୀଙ୍କ ନମ୍ବର ସ୍ବିଚ୍‌-ଅଫ୍‌ ହୋଇଯାଇଥିଲା। ଏହା ହିଁ ସ୍ବିଟିଙ୍କ ଶେଷ ଠିକଣା ଥିଲା। ତା’ ପରଠାରୁ ତାଙ୍କର ଆଉ କୌଣସି ଖୋଜଖବର ନାହିଁ। ଅପରପକ୍ଷେ ସ୍ବିଟି ହଷ୍ଟେଲ୍‌ରେ ପହଞ୍ଚିଲେ କି ନାହିଁ ବୁଝିବା ପାଇଁ ତାଙ୍କ ମା’ ବାରମ୍ବାର ଫୋନ୍‌ କରିଥିଲେ ହେଁ ଫୋନ୍‌ ସ୍ବିଚ୍‌-ଅଫ୍‌ ଦେଖାଇଥିଲା। ଯୋଗାଯୋଗ ହୋଇ ନ ପାରିବାରୁ୍ ବାପା ବିଜୟ ରୟ ଭୁବନେଶ୍ବରରେ ରହୁଥିବା ତାଙ୍କ ସାଙ୍ଗ ସୁରେଶ ପଣ୍ଡାଙ୍କୁ ଏ ସଂପର୍କରେ ଜଣାଇଥିଲେ। ସେ ତ୍ରିପୁରାରେ ବିଏସ୍‌ଏଫ୍ ଯବାନ ଭାବେ କାର୍ଯ୍ୟରତ ଥିବାରୁ ସଙ୍ଗେ ସଙ୍ଗେ ଭୁବନେଶ୍ବର ଆସିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ତେଣୁ ସୁରେଶ ରେଳବାଇ ଥାନାରେ ଅଭିଯୋଗ କରିଥିଲେ। ସିସିଟିଭି ଫୁଟେଜ୍‌ ଓ ମୋବାଇଲ୍‌ ନମ୍ବର ତଥ୍ୟକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି। ସ୍ବିଟିଙ୍କ ବାପା, ମା’ ଭୁବନେଶ୍ବର ଆସୁଥିବା ଜଣାଯାଇଛି।

Leave A Reply

Your email address will not be published.