ଆଜି ଦ୍ରୌପଦୀଙ୍କ ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ବର : ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଆଜି ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିବେ। ଏହି ସମୟରେ ବିଜେଡି ପକ୍ଷରୁ ଦୁଇ ଜଣ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ ରହିବେ। ତେବେ ମୁର୍ମୁଙ୍କୁ ସମର୍ଥନ ଦେବା ଲାଗି ଓଡ଼ିଶା ପ୍ରଦେଶ କଂଗ୍ରେସ ମନା କରିଦେଇଛି। ସୂଚନାଯୋଗ୍ୟ ଯେ ମୁର୍ମୁଙ୍କୁ ଗତକାଲି ବିଜେଡି ସମର୍ଥନ ଘୋଷଣା କରିଥିଲା। ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହୋଇଥିଲେ। ପ୍ରାର୍ଥିପତ୍ର ଦାଖଲ ବେଳେ ଉପସ୍ଥିତ ରହିବାକୁ ଅନୁରୋଧ କରିଥିଲେ। ଶ୍ରୀ ପଟ୍ଟନାୟକ ଏବେ ବିଦେଶ ଗସ୍ତରେ ଥିବାରୁ ରାଜ୍ୟର ଦୁଇ ଜଣ କ୍ୟାବିନେଟ୍ ମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା ଓ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଆଜି ଉପସ୍ଥିତ ରହିବେ। ଦୁଇ ମନ୍ତ୍ରୀ ଶ୍ରୀ ସାରକା ଓ ଶ୍ରୀମତୀ ସାହୁ ନୂଆଦିଲ୍ଲୀ ଯାଇଛନ୍ତି। ସେମାନେ ଆଜି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ସିଂହ ଯୋଶୀଙ୍କ ବାସଭବନ ଯାଇ ସେଠାରେ ଶ୍ରୀମତୀ ମୁର୍ମୁଙ୍କ ପ୍ରାର୍ଥିପତ୍ରରେ ପ୍ରସ୍ତାବକ ଭାବେ ସ୍ବାକ୍ଷର କରିଥିଲେ। ଏହି ସମୟରେ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଉପସ୍ଥିତ ଥିଲେ।

Leave A Reply

Your email address will not be published.