୭ଦିନ ପରେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା: ଏଯାଏ ଅସଜଡ଼ା ସହର

ପୁରୀ : ଆଉ ମାତ୍ର ଦିନ କେଇଟା ପରେ ରଥଯାତ୍ରା। ମାତ୍ର ଏଯାଏ ସରୁନି ଡ୍ରେନ୍‌ କି ବିଦ୍ୟୁତ କାମ। କିଛି ସ୍ଥାନରେ ଆଜିଠୁ ନାଳ ନିର୍ମାଣ ପାଇଁ ଖୋଳାଖୋଳି ଆରମ୍ଭ ହୋଇଛି। ପୁଣି କେଉଁଠି ବିଦ୍ୟୁତ ତାର ବିଛା ଚାଲିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବଡ଼ଦାଣ୍ଡକୁ ଯେତିକି ଗୁରୁତ୍ବ ଦିଆଯାଉଛି ବଡ଼ଦାଣ୍ଡ ସଂଲଗ୍ନ ଗଳିଗୁଡ଼ିକ ସେତିକି ଧ୍ୟାନ ଦିଆଯାଉନାହିଁ। ଫଳରେ ରଥ ପୂର୍ବରୁ କାମ ସରିବ ନା ନାହିଁ ତାହା ଏବେ ସନ୍ଦେହ ସୃଷ୍ଟି କରିଛି। ସବୁଠୁ ବଡ଼କଥା ହେଲା, ପର୍ଯ୍ୟଟକଙ୍କ ସୁବିଧା ଦର୍ଶନ ଲାଗି ଡିଣ୍ଡିମ ପିଟୁଥିବା ସରକାର ଏଯାଏ ପର୍ଯ୍ୟଟକଙ୍କ ଯାତାୟାତ ରାସ୍ତାରେ ହାଇମାଷ୍ଟ ଲଗାଇନାହିଁ କି ପ୍ରବେଶ ପଥରେ ଅସଜଡ଼ା ହୋଇ ପଡ଼ିଥିବା ସିସିଟିଭି କ୍ୟାମେରା ସଜାଡ଼ିବା ପାଇଁ ତତ୍ପରତା ପ୍ରକାଶ ପାଇନାହିଁ। ରଥଯାତ୍ରା ସୁରୁଖୁରୁରେ ପରିଚାଳନା ଲାଗି ୩ ଥର ସମନ୍ବୟ ବୈଠକ ବସିଲାଣି। ମାତ୍ର ସମସ୍ତେ କେବଳ ବଡ଼ଦାଣ୍ଡ କଥା କହୁଥିବା ବେଳେ ସଂଲଗ୍ନ ରାସ୍ତା ଓ ପ୍ରବେଶ ପଥରେ ଥିବା ସମସ୍ୟା ବାବଦରେ କେହି ମୁହଁ ଖୋଲୁନାହାନ୍ତି। ଆଜି ଲବଣିଖିଆ ଛକ ନିକଟରେ ରାସ୍ତାକଡ଼ରେ ଥିବା ଡ୍ରେନ୍‌ ଖୋଳି ଏହାକୁ ସଜାଡ଼ିବାକୁ କାମ ଆରମ୍ଭ କରାଯାଇଛି। ସେହିଭଳି ଶ୍ରୀକୃଷ୍ଣ ସିନେମା ହଲ୍‌ ଗଳିରେ ବିଦ୍ୟୁତ ତାର ବିଛାଇବା କାମ ଆରମ୍ଭ ହୋଇଛି। ରଥଯାତ୍ରା ସମନ୍ବୟ ବୈଠକରେ ଅଧିକାରୀମାନେ ସବୁ କାମ ସରିଆସିଲାଣି ବୋଲି କହୁଥିବା ବ‌େଳେ ବାସ୍ତବ ଚିତ୍ର ଭିନ୍ନ କଥା ବୟାନ କରୁଛି। ଏନେଇ ବାସିନ୍ଦା ସୂର୍ଯ୍ୟ ନାରାୟଣ ରଥ କହିଛନ୍ତି, ରଥଯାତ୍ରାକୁ ନେଇ ବାରମ୍ବାର ସମନ୍ବୟ ବୈଠକ ବସୁଛି ସତ, କିନ୍ତୁ ବାସ୍ତବ କ୍ଷେତ୍ରରେ ଏହାର ପ୍ରତିଫଳନ ସେଭଳି ଦେଖିବାକୁ ମିଳୁନାହିଁ। ଫଳରେ ବାହାଘର ବେଳେ ବାଇଗଣ ରୁଆ ଭଳି ଏବେ ନାଳ ଓ ବିଦ୍ୟୁତ ତାର ବିଛା କାମ କରାଯାଉଛି।

Leave A Reply

Your email address will not be published.