ମହାରାଷ୍ଟ୍ରରେ ଉଦ୍ଧବଙ୍କ ଶିବସେନାରୁ ନେତାଙ୍କ ପଳାୟନ ଜାରି, ଦିଗ୍ଗଜ ନେତା ଆନନ୍ଦ ରାଓ ଅଡସୁଲଙ୍କ ଇସ୍ତଫା

ମୁମ୍ବାଇ ୭।୭: ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନାରୁ ନେତାଙ୍କ ପଳାୟନ ଜାରି ରହିଛି। ଏହି କ୍ରମରେ ଗୁରୁବାର ପୂର୍ବତନ ସାଂସଦ ଆନନ୍ଦରାଓ ଅଡସୁଲ ପାର୍ଟିର ନେତା ଭାବେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଅଡସୁଲେ ପୂର୍ବରୁ ଅମରାବତୀ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱୀତା କରୁଥିଲେ। ତେବେ ଗତ ନିର୍ବାଚନରେ ସେ ନବନୀତ ରାଣାଙ୍କ ଠାରୁ  ପରାସ୍ତ  ହୋଇଥିଲେ। ଆନନ୍ଦ ରାଓ ପାର୍ଟି ନେତାପଦରୁ ଇସ୍ତଫା ଦେଇଥିଲେ ବି ଶିବ ସୈନିକ ରହିବେ ବୋଲି ତାଙ୍କ ପୁଅ ଅଭିଜିତ ଅଡସୁଲ କହିଛନ୍ତି। ଆନନ୍ଦରାଓ ଇସ୍ତଫା ଦେଇ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ଯୋଗ ଦେବେକି ବୋଲି ପଚରା ଯିବାରେ ସେ ଏହା କହିଛନ୍ତି। ତାଙ୍କ ପିତା ନେତା ପଦରୁ ଇସ୍ତଫା ଦେଇଛନ୍ତି ତେବେ ପାର୍ଟିରୁ ଇସ୍ତଫା ଦେଇ ନଥିବା ଅଭିଜିତ ଗଣମାଧ୍ୟମକୁ କହିଛନ୍ତି। ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ଆନନ୍ଦ ରାଓଙ୍କ ଇସ୍ତଫାକୁ ଶିବସେନା ଲାଗି ଝଟକା ମନେ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ  ନିକଟରେ ଠାକରେଙ୍କ ନେତୃତ୍ୱାଧୀନ ଶିବସେନାରେ ବରିଷ୍ଠ ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଧାୟକମାନେ ବିଦ୍ରୋହ କରିଥିଲେ। ପାର୍ଟିର ଅଧିକାଂଶ ବିଧାୟକ ସିନ୍ଦେଙ୍କ ସପକ୍ଷରେ ଯାଇଥିଲେ। ଫଳରେ ଶିବସେନା ନେତୃତ୍ୱାଧୀନ ମହାବିକାଶ ଅଘାଡି ସରକାରର ପତନ ହୋଇଥିଲା। ଠାକରେ ଜୁନ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତା ପରଦିନ ବିଜେପି ସମର୍ଥନରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Leave A Reply

Your email address will not be published.