ଶ୍ରୀବିଗ୍ରହଙ୍କ ଅଧର ପଣା ନୀତି, ଶ୍ରୀଜିଉଙ୍କୁ ସମର୍ପଣ ପରେ ରଥ ଉପରେ ଭଙ୍ଗାଯିବ ହାଣ୍ଡି

ପୁରୀ ୧୧।୭: ଘୋଷଯାତ୍ରାର ଅନ୍ୟତମ ପ୍ରମୁଖ ଅଧରପଣା ନୀତି ସୋମବାର ଅନୁଷ୍ଠିତ ହେବ। ସିଂହଦ୍ବାରରେ ଥିବା ରଥାରୂଢ଼ ଶ୍ରୀଜିଉଙ୍କ ତିନି ରଥ ଉପରେ ଏହି ଅଧରପଣା ଭୋଗ ନୀତି କରାଯିବ। ଶ୍ରୀଜିଉମାନଙ୍କ ଅଧର ପର୍ଯ୍ୟନ୍ତ ଲମ୍ବିଥିବା ମାଟି ହାଣ୍ଡିର ବଡ଼ ଓଡ଼ିଆ ମଠ ଓ ରାଘବ ଦାସ ମଠ ପକ୍ଷରୁ ପ୍ରସ୍ତୁତ ପଣାକୁ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଣାକୁ ଭୋଗ କରାଯିବ। ପାଣିଆ ଆପଟ ସେବାୟତମାନେ ଛାଉଣୀ ମଠ କୂଅରୁ ପାଣି ଆଣିବା ପରେ ଛେନା, କଦଳୀ, କ୍ଷୀର, ଗୋଲମରିଚ, ସର, କର୍ପୂର ଓ ଜାଇଫଳ ଗୁଣ୍ଡ ଇତ୍ୟାଦି ମିଶାଇ ସୁଆର ସବାୟତମାନେ ଏହାକୁ ପ୍ରସ୍ତୁତ କରିବେ।  ପୂଜାପଣ୍ଡାମାନେ ଏହି ପଣାକୁ ଶ୍ରୀଜିଉମାନଙ୍କୁ ସମର୍ପଣ କରିବା ପରେ ହାଣ୍ଡିଗୁଡ଼ିକ ରଥ ଉପରେ ଭାଙ୍ଗି ଦିଆଯିବ। ଏହି ଅଧରପଣା ଭୋଗ କରାଯାଇ ହାଣ୍ଡିଗୁଡ଼ିକ ଭଙ୍ଗାଯିବାର ବିଶେଷ ମହତ୍ତ୍ବ ରହିଛି ।  ତିନି ରଥର ଥିବା ପାର୍ଶ୍ବ ଦେବାଦେବୀ, ଚଣ୍ଡିଚାମୁଣ୍ଡା ଓ ଅଶରୀର ଆତ୍ମାର ଶାନ୍ତି ନିମିତ୍ତ ଏହି ପଣା ଭୋଗ କରାଯାଏ। ସେମାନେ ଏହି ପଣାକୁ ପ୍ରସାଦ ରୁପେ ପାଇ ତୃପ୍ତ ହେବାର ବିଶ୍ବାସ ରହିଛି। ତେବେ ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ଏହି ଅଧର ପଣା ନୀତି ଅନୁଷ୍ଠିତ ହେବାକୁ ଥିବାରୁ ଭକ୍ତମାନେ ବେଶ୍ ଉତ୍କଣ୍ଠାର ସହ ଏହି ନୀତି ଦର୍ଶନ କରିବା ପାଇଁ ଅପେକ୍ଷା କରିଛନ୍ତି ।  

Leave A Reply

Your email address will not be published.