ବନ୍ଦ ପଡିଥିବା ସ୍ଲିପର କାରଖାନା ଖୋଲିବା ପାଇଁ ସାଂସଦଙ୍କ ହସ୍ତକ୍ଷେପ, ହଜାରେ ପରିବାର ହେବେ ଉପକୃତ

ନୀଳଗିରି ୧୪।୭: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଗୋପୀନାଥପୁରଠାରେ ଆଜିକୁ ଦୀର୍ଘବର୍ଷ ଧରି ବନ୍ଦ ପଡିଥିବା ସ୍ଲିପର କାରଖାନା ଖୁବଶୀଘ୍ର ଖୋଲିବାକୁ ଯାଉଛି । ସ୍ଥାନୀୟ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ପରେ ଏହା ଖୋଲିବାରେ ସଫଳ ହୋଇଥିବା ଜଣାପଡିଛି । ସୂଚନଯୋଗ୍ୟ ଯେ, ଏହି ସ୍ଲିପର କାରଖାନା ଚାଲୁଥିବା ବେଳେ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ହଜାରେ ପରିବାର ଗୁଜରାଣ ମେଣ୍ଟାଉଥିଲେ। ଶ୍ରମିକଙ୍କ ଦରମା ବୃଦ୍ଧି କରିବା ନେଇ କାରଖାନା ମାଲିକ ଓ ଶ୍ରମିକମାନଙ୍କ ମଧ୍ୟରେ ତିକ୍ତତା ଲାଗି କାରଖାନା ବନ୍ଦ ହୋଇଥିଲା । ପରେ କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ଓ ଶ୍ରମିକ ନେତା ହସ୍ତକ୍ଷେପ ପରେ କାରଖାନା ଖୋଲିବ କ’ଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ପରେ ସାଂସଦ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଥିବାବେଳେ ତତ୍କାଳୀନ ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଏହାର ପ୍ରତିକାର ପାଇଁ ପତ୍ର ଲେଖିବା ସହ ବାରମ୍ବାର ଭେଟି ଆସୁଥିଲେ। ହେଲେ ଅଶ୍ବିନୀ ବୈଷ୍ଣବ ରେଳମନ୍ତ୍ରୀ ଭାର ନେବାପରେ ପ୍ରତାପ ଷଡ଼ଙ୍ଗୀ  ଗୋପୀନାଥପୁରଠାରେ ଷ୍ଟେସନ ନିର୍ମାଣ କରିବାରେ ସଫଳ ହୋଇଥିବା ବେଳେ ସ୍ଲିପର କାରଖାନା ଖୋଲିବା ପାଇଁ ଦାବି କରିଥିଲେ। ଶେଷରେ ଦୀର୍ଘ ୧୩ ବର୍ଷରୁ ଉର୍ଦ୍ଧ୍ବ ହେବ ବନ୍ଦ ପଡିଥିବା କାରଖାନା ଖୋଲିବାକୁ ଯାଉଛି । ପୁନେର ଜଣେ ସ୍ଲିପର କାରଖାନା ମାଲିକ ପୁରୁଣା ମାଲିକଠାରୁ ଏଗ୍ରିମେଣ୍ଟ କରି ଏହା ଚାଲୁ କରିବା ନେଇ ଇଚ୍ଛୁକ ଥିବାବେଳେ ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟି ବିଷଦ ଆଲୋଚନା କରିଛନ୍ତି । ଗୁରୁବାର ସାଂସଦ ପ୍ରତାପ ଷଡ଼ଙ୍ଗୀ ସ୍ଲିପର କାରଖାନା ନିଜେ ଯାଇ ତଦାରଖ କରିଛନ୍ତି । ପୁରୁଣା ଶ୍ରମିକଙ୍କ ବକେୟା ପାଉଣା ଦେବା ପରେ ଅଚଳ କାରଖାନା ଚାଲିବା ସ୍ଥିତି ପରଖିଲେ ଯାଇ ସ୍ଲିପର କାରଖାନା ଚାଲିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.