ବାଲେଶ୍ୱରର କହି ୨୪ ଲକ୍ଷ ଚୁନା ଲଗାଇଲେ କାଲିଫର୍ଣ୍ଣିଆ ଯୁବତୀ

ଭୁବନେଶ୍ୱର, ୨୦/୦୭: ପ୍ରଥମେ ମାଟ୍ରିମୋନିରେ ସମ୍ପର୍କ । ଏହାପରେ ଫେସବୁକରେ କଥାବାର୍ତ୍ତା । ନିଜକୁ ଓଡିଶାର ପରିଚୟ ଦେଇ ୨୪ ଲକ୍ଷ ଟଙ୍କାର ଚୁନା ଲଗାଇଲେ ବିଦେଶୀ ମହିଳା । ଘର ବାଲେଶ୍ବର ବୋଲି କହି କାର୍ଲିଫନିଆରେ ଡାକ୍ତର ଥିବା ଯୁବତୀ ଜଣକ ଜଣେ ଆଇଟି ଏକ୍ସପର୍ଟଙ୍କୁ ନିଜ ଫାନ୍ଦରେ ପକାଇଥିଲେ ।  ଯୁବତୀ ଜଣକ ନିଜକୁ ଜଣେ ଡାକ୍ତର ବୋଲି ପରିଚୟ ଦେଇ ଓଡିଆ ମାଟ୍ରିମୋନିରେ ବିଜ୍ଞାପନ ଦେଇଥିଲେ । ସେ କାର୍ଲିଫନିଆରେ ରୁହନ୍ତି ଓ ତାଙ୍କ ଘର ବାଲେଶ୍ବର ଜିଲ୍ଲାରେ ବୋଲି ଉଲ୍ଲେଖ ରହିଥିଲା । ଏହାକୁ ଦେଖି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ଜଣେ ଯୁବକ ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ । ଯୁବତୀ ଜଣକ ପ୍ରସ୍ତାବକୁ ଗ୍ରହଣ ମଧ୍ୟ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ଯୁବତୀଙ୍କ ଦ୍ବାରା ପ୍ରସ୍ତୁତ ଚକ୍ରବ୍ୟୁହ । ଯୁବତୀ ଜଣକ ନିଜର ନାମ ପ୍ରିୟା ଗୁପ୍ତା ଓ ସେ ଖୁବଶିଘ୍ର ଓଡିଶା ଆସୁଥିବା ସୂଚନା ଯୁବକଙ୍କ ପରିବାରକୁ ଦେଇଥିଲେ । ମଝିରେ ମଝିରେ ଯୁବତୀ ଜଣକ ହ୍ବାଟସ୍‌ଆପ ଓ ଫେସବୁକରେ ଭିଡିଓ କଲ କରି କଥା ମଧ୍ୟ ହୋଇଥିଲେ । ଗତ ଦୁଇଦିନ ତଳେ ଯୁବତୀ ଜଣକ ଦିଲ୍ଲୀ ଏୟାରପୋର୍ଟରେ ପହଁଚିଥିବା କଥା କହିବା ସହିତ ସେ କାର୍ଲିଫନିଆରୁ ଆଣିଥିବା ୭୦ ହଜାର ୟୁକେ ଡଲାରକୁ କଷ୍ଟମ କ୍ଲିୟରାନ୍ସ ପାଇଁ ଯୁବକଙ୍କ ବାପାଙ୍କ ନିକଟରୁ ୨୪ ଲକ୍ଷ ଟଙ୍କା ନେଇ ଆଉ ଧରା ଦେଇନଥିଲେ । ଏହାପରେ ତାଙ୍କ ମୋବାଇଲ ସୁଇଚ୍‌ ଅଫ ହୋଇଯାଇଥିଲା । ଏହାପରେ ଆଟି ଏକ୍ସପର୍ଟ ଯୁବତୀଙ୍କ ସମ୍ପର୍କରେ ପଚରା ଉଚୁରା କରି ଏହା ଏକ ଫେକ୍‌ ପରିଚୟ ବୋଲି ଜାଣିବାକୁ ପାଇଥିଲେ । ଯୁବକଙ୍କ ପକ୍ଷରୁ ଭୁବନେଶ୍ବର ସାଇବର ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିବା ପରେ ସାଇବର ଥାନା ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏବେ ସାଇବର ଅପରାଧି ମାନେ ବିଭିନ୍ନ ଫନ୍ଦି କରି ଲୋକମାନଙ୍କୁ ଠକେଇ କରିବାର ଯୋଜନା କରୁଛନ୍ତି । ବିଶେଷ କରି ବିଦେଶୀ ଯୁବତୀମାନେ ଏହି ଠକେଇ କାର୍ଯ୍ୟରେ ଏବେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଜଣାପଡିଛି ।

Leave A Reply

Your email address will not be published.