ଜୁଲାଇରେ ସ୍ୱାଭାବିକଠୁ ୧୦% ବେଶି ବର୍ଷା : ୧୨ ଜିଲ୍ଲା ଅଧିକ ଭିଜିଛି

ଭୁବନେଶ୍ୱର, ୦୧|୦୮ :  ଜୁଲାଇରେ ରାଜ୍ୟରେ ସ୍ୱାଭାବିକ ବର୍ଷା ହୋଇଛି । ମାସକରେ ମୋଟ ୩୭୬.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହା ସ୍ୱାଭାବିକଠାରୁ ୧୦% ଅଧିକ । ରାଜ୍ୟରେ ସ୍ୱାଭାବିକ ବର୍ଷା ସତ୍ତେ୍ୱ ସୁନ୍ଦରଗଡ଼ ଓ ସମ୍ବଲପୁର ଭଳି ଦୁଇ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ୧୨ ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ତଥ୍ୟ ଦେଇଛି । ଜୁଲାଇ ୧ରୁ ୩୧ ତାରିଖ ଯାଏ ରାଜ୍ୟରେ ସ୍ୱାଭାବିକ ବର୍ଷା ପରିମାଣ ୩୪୦ ମିମି ଥିଲା । କିନ୍ତୁ ଏହି ସମୟ ଭିତରେ ୩୭୬.୬ ମିମି ବର୍ଷା ହୋଇଛି । ସୁନ୍ଦରଗଡ଼ରେ ୨୪% ଓ ସମ୍ବଲପୁରରେ ୨୦% ନିଅଣ୍ଟିଆ ବର୍ଷା ହୋଇଛି । ତେବେ ଜୁନ୍‌ ୧ରୁ ଜୁଲାଇ ୩୧ ଭିତରେ ରାଜ୍ୟରେ ମୋଟ ୫୦୭.୯ ମିମି ବର୍ଷା ହୋଇଛି । ଏହି ଦୁଇ ମାସରେ ସ୍ୱାଭାବିକ ଭାବେ ୫୫୦.୭ ମିମି ବର୍ଷା ହୋଇଛି । ହାରାହାରି ଭାବେ ଧରିଲେ ଜୁଲାଇ ଶେଷ ସୁଦ୍ଧା ମାତ୍ର ୮% ନିଅଣ୍ଟିଆ ବର୍ଷା ହୋଇଛି । ଜୁନ୍‌ ଓ ଜୁଲାଇ ଦୁଇ ମାସର ମୋଟ ବର୍ଷାକୁ ଦେଖିଲେ ୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ଭଦ୍ରକ, ମୟୂରଭଞ୍ଜ, ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହୋଇଛି । ଭଦ୍ରକରେ ୨୩% କମ୍‌ ବର୍ଷା ହୋଇଥିବାବେଳେ ମୟୂରଭଞ୍ଜରେ ୨୦%, ସମ୍ବଲପୁରରେ ୨୮% ଓ ସୁନ୍ଦରଗଡରେ ୩୯% କମ୍‌ ବର୍ଷା ହୋଇଛି । ବଲାଙ୍ଗୀରରେ ୧୯%, ଝାରସୁଗୁଡା ଓ କଳାହାଣ୍ଡିରେ ୧୮%, ଅନୁଗୁଳରେ ୧୩ ଓ କେନ୍ଦୁଝରରେ ୧୧% କମ୍‌ ବର୍ଷା ହୋଇଛି । ବୌଦ୍ଧରେ ୩୬% ଓ କନ୍ଧମାଳରେ ୨୮% ଅତ୍ୟଧିକ ବର୍ଷା ହୋଇଛି । 

Leave A Reply

Your email address will not be published.