ଦେବଦୂତ ସାଜିଲେ ଗାଁ ଯୁବକ, ନଦୀ ମଝିରେ ଫସିଥିବା ମା ଓ ଶିଶୁ ପୁତ୍ରକୁ କଲେ ଉଦ୍ଧାର

ରାୟଗଡ଼ା ୦୩।୦୮: ନଦୀ ମଝିରେ ଫସିଲେ ମା ଓ ଶିଶୁ ପୁତ୍ର । ପ୍ରାୟ ୩ ଘଣ୍ଟା ଧରି ଫସିରହିଥିଲେ ଉଭୟ । ରାୟଗଡ଼ା ଜିଲ୍ଲା ସଦର ବ୍ଲକ କୁମ୍ଭିକୋଟା ପଞ୍ଚାୟତ ପୁଞ୍ଜାପାଇ ଗାଁରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ପୁଞ୍ଜାପାଇ ଗାଁରେ ନନ୍ଦିନୀ କାଡ୍ରାକା ଓ ତାଙ୍କର ୩ବର୍ଷର ଶିଶୁପୁତ୍ର ଧରି ମଙ୍ଗଳବାର ମଧ୍ୟାହ୍ନ ସମୟରେ ନଦୀ ଆରପଟ ଜଙ୍ଗଲକୁ ଯାଇଥିଲେ। ସେଠାରୁ ଫେରିବା ବେଳକୁ ହଠାତ ଉପର ମୁଣ୍ଡରୁ ଜଳସ୍ତର ବଢ଼ିଯାଇଥିଲା। ମା ଶିଶୁପୁତ୍ର ନଦୀ ପାରି ହେଉଥିଲେ। ଶେଷରେ ନଦୀ ପାଣି ଉଭୟଙ୍କୁ ଭସେଇ ନେଇଯାଉଥିଲା। ସୌଭାଗ୍ୟବଶତଃ ନଦୀ ମଝିରେ ଥିବା ଏକ ବୁଦାକୁ ଧରି ଚିତ୍କାର କରିଥିଲେ ମହିଳା ଜଣକ। ଚିତ୍କାର ଶୁଣି ଗାଁର କିଛି ଯୁବକ ଦୌଡ଼ି ଆସିଥିଲେ। ମା ଓ ଶିଶୁପୁତ୍ର ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ୩ ଘଣ୍ଟା ଲାଗିଥିଲା। ତେବେ ନଦୀ ମଝିରେ ମା ଓ ଶିଶୁକୁ ଉଦ୍ଧାର କରି ୨ଟି ଜୀବନ ବଞ୍ଚାଇଛନ୍ତି ଯୁବକ। ଉଦ୍ଧାର କରିଥିବା ଯୁବକ ମାନେ ଭଗବାନ ରୂପରେ ଆସି ଆମକୁ ଉଦ୍ଧାର କରିଛନ୍ତି ବୋଲି ନନ୍ଦିନୀ କାଡ୍ରାକା କହିଛନ୍ତି। ଯୁବକ ମାନଙ୍କ ଏଭଳି ସାହାସିକତା ଯୋଗୁଁ ଦୁଇଟି ଜୀବନ ମୃତ୍ୟୁ ମୁଖରୁ ଉଦ୍ଧାର ହୋଇଛନ୍ତି ବୋଲି ଚର୍ଚ୍ଚା ଓ ପ୍ରଶଂସା ଦେଖିବାକୁ ମିଳିଛି।

Leave A Reply

Your email address will not be published.