ଗୁରୁବାର ଖୋଲିବ ମାର୍କେଟ ବିଲ୍ଡିଂ, ହଟିବେ ଉଠାଦୋକାନୀ

ଭୁବନେଶ୍ୱର ୦୪।୦୮: ବହୁ ବିବାଦ ପରେ ଗୁରୁବାର ଖୋଲିବ ମାର୍କେଟ ବିଲ୍ଡିଂ । ବିଏମ୍‌ସି ଓ ପୁଲିସ୍‌ ସୁରକ୍ଷା ଯୋଗାଇଦେବାକୁ ପ୍ରତିଶ୍ରୁତି ପରେ ଏହି ନିଷ୍ପତ୍ତି ନେଇଛି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ । ମାର୍କେଟ ବିଲ୍ଡିଂ ପରିସରରୁ ଉଠାଦୋକାନୀ ହଟାଇବାକୁ ଯୋଜନା ମଧ୍ୟ ହୋଇଛି । ସେପଟେ ଜିଦ୍‌ରେ ଅଟଳ ଉଠାଦୋକାନୀ । ହଟିବୁ ନାହିଁ, ବରଂ ସେହିସ୍ଥାନରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି । ଫଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହେବାର ସମ୍ଭାବନା ରହିଛି । ଖବର ଅନୁଯାୟୀ, ଗତ ୫ ଦିନ ଧରି ମାର୍କେଟ ବିଲ୍ଡିଂରେ ଅଚଳାବସ୍ଥା ଲାଗି ରହିଛି । ଶହ ଶହ ଲୋକେ ନିରାଶ ହୋଇ ଫେରୁଛନ୍ତି । ଏହି ବିବାଦର ସମାଧାନ ଲାଗି ବିଏମ୍‌ସି ବୈଠକ ଡାକିଥିଲା । ଏଥିରେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ସଦସ୍ୟମାନେ ଯୋଗଦେଇ ବିଭିନ୍ନ ଦାବି ରଖିଥିଲେ । ସଂଘ ଦାବି କରିଛି, କୌଣସି ପରିସ୍ଥିତିରେ ଉଠାଦୋକାନୀଙ୍କୁ ମାର୍କେଟ ବିଲ୍ଡିଂ ପରିସରରେ ପ୍ରବେଶ କରାଇ ଦିଆଯିବନି । ବିଏମ୍‌ସି ଉଠାଦୋକାନୀଙ୍କୁ ହଟାଇବା ପାଇଁ ପ୍ରତିଶ୍ରୁତି ଦେଇଛି । ବିଏମ୍‌ସି ପକ୍ଷରୁ ପ୍ରତିଦିନ ଉଚ୍ଛେଦ କରାଯିବ । ଉଠାଦୋକାନୀ ବସିବା ମାତ୍ରେ ସେମାନଙ୍କୁ ସଙ୍ଗେ ସଙ୍ଗେ ଉଠାଇ ଦିଆଯିବ । ସୁରକ୍ଷା ପାଇଁ ପୁଲିସ ପକ୍ଷରୁ ୧ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଜଣେ ଏଏସ୍‌ଆଇ ରାଙ୍କ୍‌ର ଅଧିକାରୀ ମାର୍କେଟ ବିଲ୍ଡିଂ ସୁରକ୍ଷା ଦାୟିତ୍ୱରେ ରହିବେ ।

Leave A Reply

Your email address will not be published.