ଭାଙ୍ଗିପାରେ ବିଜେପି-ଜେଡିୟୁ ମେଣ୍ଟ: ଆରଜେଡି ଓ କଂଗ୍ରେସ ସହ ମିଶି ସରକାର ଗଢ଼ିପାରନ୍ତି ନୀତିଶ

ପାଟନା: ବିହାର ମେଣ୍ଟ ସରକାରରେ ଅଲ୍ ଇଜ ନଟ୍ ଓ୍ବେଲ । ଭାଙ୍ଗିପାରେ ଜେଡିୟୁ-ବିଜେପି ମେଣ୍ଟ ! ବିହାରରୁ ବିଦା ହୋଇପାରେ ବିଜେପି । ବିଜେପିଠାରୁ ଅଲଗା ହୋଇ ଆରଜେଡି, ବାମଦଳ ଓ କଂଗ୍ରେସ ସହ ସରକାର ଗଠନ ପାଇଁ ନୀତିଶ କୁମାର ପ୍ଲାନ କରୁଥିବା ଜଣାପଡ଼ିଛି । ଯାହାକୁ ନେଇ ଦଳୀୟ ବିଧାୟକ ଓ ଏମପିଙ୍କ ସହ ଆଲୋଚନା ପାଇଁ ଜରୁରିକାଳୀନ ବୈଠକ ଡାକିଛନ୍ତି ନୀତିଶ କୁମାର । ଆସନ୍ତାକାଲି ଜେଡିୟୁ ବୈଠକ ଥିବା ବେଳେ ଏବେକାର ରାଜନୈତିକ ଅସ୍ଥିରତାକୁ ଏନଡିଏ ସମର୍ଥିତ ସବୁ ଦଳ ପକ୍ଷରୁ ମଧ୍ୟ ବୈଠକ ଡକାଯାଇଛି । ଅଗଷ୍ଟ ୧୧ ପୂର୍ବରୁ ବିଜେପି ସହ ମେଣ୍ଟ ଭାଙ୍ଗିପାରେ ବୋଲି ଅନୁମାନ କରାଯାଉଛି । ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖିଆ ନୀତିଶ କୁମାର କଂଗ୍ରେସ ଅଧ୍ୟକ୍ଷ ନୀତିଶ କୁମାରଙ୍କ ସହ ଫୋନ ଯୋଗେ କଥା ହୋଇଥିବା ସୂଚନା । ଆରଜେଡି ମଧ୍ୟ ଜେଡିୟୁ ପ୍ରତି ସଫ୍ଟକର୍ଣ୍ଣର ଦେଖାଉଥିବା ବେଳେ ଦଳର ବିଧାୟକଙ୍କୁ ପାଟନାରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ତେଜସ୍ବୀ ଯାଦବ । ଏକାଧିକ ପ୍ରସଙ୍ଗକୁ ନେଇ ଗତ କିଛିଦିନ ହେବ ଜେଡିୟୁ ଓ ବିଜେପି ମଧ୍ୟରେ ତୁ ତୁ ମେଁ ମେଁ ଜାରି ରହିଛି । ଗତବର୍ଷ କେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇଥିବା ଜେଡିୟୁ ସାଂସଦ ଆରସିପି ସିଂଙ୍କୁ ନେଇ ବିଜେପି ଏବଂ ଜେଡିୟୁ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ନୀତିଶଙ୍କ ଅଜଣାତରେ ଆର୍ସିପି ସିଂଙ୍କୁ କେନ୍ଦ୍ର କ୍ୟାବିନେଟରେ ସାମିଲ କରାଯାଇଥିଲା । ଫଳରେ ଏଥର ରାଜ୍ୟସଭାରେ ଆରସିପି ସିଂଙ୍କ କାର୍ଯ୍ୟକାଳ ବଢ଼ାଇ ନଥିଲା ଜେଡିୟୁ । ଶନିବାର ସେ ଜେଡିୟୁରୁ ଇସ୍ତଫା ଦେଇଥିଲେ ।

Leave A Reply

Your email address will not be published.