ବୌଦ୍ଧ ଜିଲ୍ଲାରେ ମହାନଦୀ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି, ବନ୍ୟା ସ୍ଥିତି ସଙ୍ଗୀନ

ବୌଦ୍ଧ ୧୫।୮: ବୌଦ୍ଧ ଜିଲ୍ଲା ହରଭଙ୍ଗାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଓ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଜାରି ରହିଥିବା ବେଳେ ବୌଦ୍ଧ ଜିଲ୍ଲା ମହାନଦୀରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ମହାନଦୀ ଜଳସ୍ତର ସତର୍କ ସଂକେତ ୮୬.୮୦ ଓ ବିପଦ ସଂକେତ ୮୭.୮୦ ରହିଥିବା ବେଳେ ଏହାକୁ ଅତିକ୍ରମ କରି ବର୍ତ୍ତମାନ ଜଳସ୍ତର ୮୮.୫୦ ମିଟର ହୋଇଛି । ଫଳରେ ହରଭଙ୍ଗା ବ୍ଲକରେ ବନ୍ୟା ପରିସ୍ଥିତି ଅତି ଜଟିଳ ହେବା ସହ ବିପଦ ମୁହାଁ ହୋଇଛି । ଜଗନ୍ନାଥ ସଡ଼କର କୃଷ୍ଣମୋହନପୁର ସେତୁ, ସାମ୍ପଚ ସେତୁ, ସାକୁସିଙ୍ଗା, ଉଁଆଲ ଆଦି ସ୍ଥାନର ସେତୁ ଉପରେ ୧୦ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ହରଭଙ୍ଗା-ବୌଦ୍ଧ ଲଗାତାର ଭାବେ ଦୁଇ ଦିନ ହେବ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ହରଭଙ୍ଗା ବ୍ଲକର ତେନ୍ତୁଳିପଦର ଗାଁକୁ ବନ୍ୟାଜଳ ପ୍ରବେଶ କରିଛି । ଫଳରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଗ୍ରାମବାସୀଙ୍କ ଘର ଚାରିପଟେ ପାଣି ରହିଥିବା ବେଳେ ନଦୀକୂଳିଆ ୧୦ଟି ଗ୍ରାମ ବନ୍ୟାପାଣି ଘେରରେ ରହିଥିବା ଜଣାପଡିଛି ତେବେ ୪୦ରୁ ଉର୍ଦ୍ଧ୍ବ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିଭଳି ହଜାର ହଜାର ହେକ୍ଟର ଚାଷ ଜମି ଉପରେ ବନ୍ୟାପାଣି ପସି ଫସଲ ନଷ୍ଟ ହୋଇଛି ।

Leave A Reply

Your email address will not be published.