ବିଳମ୍ୱିତ ରାତିରେ ମନ୍ଦିରରୁ ଚୋରି; ଦୁର୍ବୃତ୍ତ ଚୋରାଇନେଲେ ଅଷ୍ଟଧାତୁ ହନୁମାନ ମୂର୍ତ୍ତି

ପାରଳାଖେମୁଣ୍ଡି ୧୯/୦୮: ପାରଳାଖେମୁଣ୍ଡିରେ ପୁଣି ଏକ ମନ୍ଦିରରୁ ଚୋରି ହୋଇଛି। ରେଳ ଷ୍ଟେସନ ପାଖରେ ଥିବା ସିଦ୍ଧ ମହାବୀର ମନ୍ଦିରରୁ ଅଷ୍ଟଧାତୁରେ ତିଆରି ହୋଇଥିବା ହନୁମାନଙ୍କ ମୂର୍ତ୍ତିକୁ ଦୁର୍ବୃତ୍ତମାନେ ଚୋରାଇ ନେଇଛନ୍ତି। ଖବର ଅନୁସାରେ ଏହି ମନ୍ଦିରରୁ ପ୍ରାୟ ୧୮  କିଲୋ ଓଜନର ଏକ ଅଷ୍ଟଧାତୁ ହନୁମାନ ମୂର୍ତ୍ତିକୁ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଚୋରି କରିନେଇଛନ୍ତି।  ଏନେଇ ପାରଳାଖେମୁଣ୍ଡି ଥାନାରେ  ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଶୁକ୍ରବାର ସକାଳେ ମନ୍ଦିର ଭିତରକୁ ପୂଜା କରିବାକୁ ପୂଜକ ଯାଇଥିଲେ। କିନ୍ତୁ ସେଠାରେ ଭଗବାନଙ୍କ ମୁର୍ତ୍ତି ନଥିବା ଦେଖିଥିଲେ। ପରେ ମନ୍ଦିର ପୂଜକ ଏନେଇ ମନ୍ଦିର କମିଟି ଓ ସ୍ଥାନୀୟ ବାସିନ୍ଦାଙ୍କୁ ଜଣାଇଥିଲେ। ଏବିଷୟରେ ଜାଣିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଛି। ରାତିରେ ମନ୍ଦିର ପରିସରର ଏକ କୋଠରୀରେ ଜଣେ ସନ୍ୟାସୀ ଓ ତିନି ଜଣ ଛାତ୍ର ରହୁଥିଲେ। କିନ୍ତୁ  ସତର୍କତାର ସହ ଚୋର ମୂର୍ତ୍ତିକୁ ନେଇ ପଳାଇଯାଇଛି। ଏହା ପୂର୍ବରୁ ସାଇ ମନ୍ଦିରର ବିପୁଳ ପରିମାଣର ରୁପା ଅଳଙ୍କାର ଚୋରି ଘଟଣାର ଅଭିଯୁକ୍ତ ଏବେ ସୁଦ୍ଧା ଧରା ପଡ଼ିନଥିବା ବେଳେ ପୁଣି ଏପରି ଘଟଣା ସାମ୍ନାକୁ ଆସିଛି। ସହରରେ କିଛି ଦିନ ହେଲା ବିଭିନ୍ନ ସ୍ଥାନରୁ ଚୋରି  ଘଟଣା ବଢ଼ିବାରେ ଲାଗିଛି।

Leave A Reply

Your email address will not be published.