ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଭେଷଜ ଆଉଟଡୋରରେ ତାଲା, ସ୍ମାରକ ପତ୍ର ପ୍ରଦାନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସମେତ ବୌଦ୍ଧ ଓ ଦଶପଲ୍ଲାର ଜନ ସାଧାରଣ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭରଶୀଳ। କିନ୍ତୁ ଜିଲ୍ଲାରେ ମାତ୍ର ଜଣେ ଭେଷଜ ଡାକ୍ତର ଥିବାରୁ ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଭାଗ ଆଉଟଡୋର କ୍ୱଚିତ ଖୋଲା ଯାଉଥିବା ଅଭିଯୋଗ ହେଉଛି। ଯାହା ଫଳରେ ରୋଗୀ ସେବା ବ୍ୟାଘାତ ହେଉଛି। ଏ ସମ୍ପର୍କରେ ମିଳିତ ନାଗରିକ କମିଟି ପକ୍ଷରୁ ସିଡିଏମଓଙ୍କ ସହ ଆଲୋଚନା କରାଯାଇ ବିକଳ୍ପ ବ୍ୟବସ୍ଥା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। ଯେଉଁ ମାନେ ଅଛନ୍ତି ସେଥିରୁ ଅଧିକାଂଶ ସଠିକ ସେବା ଦେଉନଥିବା ଜଣାଯାଏ। ତୁରନ୍ତ ଭେଷଜ ବିଭାଗ ଡାକ୍ତର ନିଯୁକ୍ତି ନ ହେଲେ ଲୋକମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ। ଦୁଇ ଜଣ ଅଲଟ୍ରାସାଉଣ୍ଡ ଡାକ୍ତର ତାଲିମ ନେଇ ଫେରୁଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ଆରମ୍ଭ ହେବ ବୋଲି ଆଶା। ଜିଲ୍ଲାରେ ଡାକ୍ତରଖାନା ମାତ୍ର ତିନି ଘଣ୍ଟା ଖୋଲାଯାଉଛି। ଏହା ଏକ ପଛୁଆ ଜିଲା ହୋଇଥିବାରୁ ଗୁଣାତ୍ମକ ସେବା ଲୋକମାନେ ଆଶା କରନ୍ତି। କେତେକ କ୍ଷେତ୍ରରେ ଅଣ୍ଡର ରିପୋଟିଂ ହେଉଥିବାରୁ ଜିଲ୍ଲା ପାଇଁ କ୍ଷତିକାରକ। ଡ୍ୟୁଟି ସମୟରେ କ୍ଳିନିକ ଯାଉଥିବାରୁ ଗରିବ ଲୋକମାନେ ଅଯଥା ଅର୍ଥ ବ୍ୟୟ ପାଇଁ ବାଧ୍ୟ ହେଉଛନ୍ତି। ସ୍ତ୍ରୀ ଓ ପ୍ରସୂତୀ ବିଭାଗ, ସମେତ ଆମ୍ବୁଲାନ୍ସ ଇତ୍ୟାଦିରେ ବେଆଇନ ଅର୍ଥ ଆଦାୟ ହେଉଥିବା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଗୋଚର କରାଗଲା। ଗ୍ରାମାଞ୍ଚଳରେ ଡାକ୍ତର ମାନଙ୍କ ମଧ୍ୟରୁ ଅନେକ ଅଳ୍ପ ଦିନ ଛୁଟି ନେଇ ଦୀର୍ଘ ଦିନ କାର୍ଯ୍ୟରେ ଅନୁପସ୍ଥିତ ରହୁଥିବାରୁ ଜନସାଧାରଣ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଥିବା ବଡ ଦୁର୍ଭାଗ୍ୟ ର ବିଷୟ। ମିଳିତ ନାଗରିକ କମିଟିର ସଭାପତି ଡ ଅରୂପ ଜେନାଙ୍କ ସହ ନବୀନ କିଶୋର ପଣ୍ଡା, ପ୍ରଣବ ମଣ୍ଡଳ, ରାଜ କିଶୋର ପାଢୀ ବନ ବିହାରୀ ନନ୍ଦ ପ୍ରମୁଖ ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ।

Leave A Reply

Your email address will not be published.