ଭାରସାମ୍ୟ ହରାଇ ବିଲକୁ ଖସିଲା ଅଟୋ, ୩ ଗୁରୁତର, ଜଣେ ମୃତ

ଫୁଲବାଣୀ, ୩୦/୦୮: ଆଧାର କାର୍ଡ ସଂଶୋଧନ କରିବାକୁ ଯିବାବେଳେ ଅଘଟଣ । ଭାରସାମ୍ୟ ହରାଇ ବିଲକୁ ଖସିଲା ଅଟୋ । ଦୁର୍ଘଟଣାରେ ୧୫ ଯାତ୍ରୀ ଆହତ ହୋଇଥିବାବେଳେ ଚାରିଜଣ ଗୁରୁତର ଥିବା ଜଣାପଡ଼ିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ବୁଡାଗୁଡ଼ା ଅଞ୍ଚଳରେ । ସୂଚନା ପ୍ରକାରେ ସକାଳେ ବୁଡାଗୁଡ଼ା ଅଞ୍ଚଳରୁ କିଛି ଲୋକ ଆଧାର କାର୍ଡ ସଂଶୋଧନ କରିବାକୁ ଏକ ଅଟୋରେ ସିମନବାଡ଼ି ଯାଉଥିବା ବେଳେ ବୁଡାଗୁଡ଼ା ଗ୍ରାମ ପଞ୍ଚାୟତର ନେଡିପାଙ୍ଗା ନିକଟରେ ଭାରସାମ୍ୟ ହରାଇ ଏକ ବିଲ ତଳକୁ ଖସି ପଡ଼ିଥିଲା ଅଟୋ । ଏଥିରେ ବସିଥିବା ଛୋଟ ଛୁଆ, ଗର୍ଭବତୀ ମହିଳା, ବୃଦ୍ଧ, ବୃଦ୍ଧା ସମସ୍ତ ଯାତ୍ରୀ ଆହତ ହୋଇଥିବାବେଳେ ଚାରିଜଣ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି ପ୍ରଥମେ ବୁଡ଼ାଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଏବଂ ପ୍ରାଥମିକ ଚିକିତ୍ସା ପରେ ଦୁଇଜଣ ଗୁରୁତରଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଗୁରୁତର ଚାରିଜଣ ମଧ୍ୟରେ ୭ମାସର ଗର୍ଭବତୀ ମହିଳା ପ୍ରଭାତୀ ପ୍ରଧାନ, ବୃଦ୍ଧ ସପ୍ନେଶ୍ବର ପାତ୍ର, ଆଦିତ୍ୟ ପ୍ରଧାନ(୫) ଓ ବାବୁଲା ପ୍ରଧାନ (୨୨) ଥିବା ବେଳେ ବାବୁଲା ପ୍ରଧାନଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ଥିବାରୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରୁ ତାଙ୍କୁ ଫୁଲବାଣୀ ସ୍ଥାନାନ୍ତର କରାଯାଇଥିଲା ହେଲେ ଅଧା ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ବାବୁଲାଙ୍କ ଘର ବୁଡାଗୁଡ଼ା ପଞ୍ଚାୟତର ଟପେରେଙ୍ଗା ଗ୍ରାମ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.