ନୂଆଁଖାଇ ପାଇଁ ଦୁଇ ଦିନ ଛୁଟି ପାଇଲା ପଶ୍ଚିମ ଓଡ଼ିଶା

ଭୁବନେଶ୍ବର : ନୂଆଁଖାଇ ପାଇଁ ଦୁଇଦିନ ଛୁଟି ପାଇଲା ପଶ୍ଚିମ ଓଡ଼ିଶା। ଅର୍ଥାତ ଗଣେଶ ପୂଜାର ପରବର୍ତ୍ତୀ ଦିନ ସେପ୍ଟେମ୍ବର ୧ ଏବଂ ୨ ତାରିଖ ଉଭୟ ଦିନ ଛୁଟି ରହିବ। କିଛି ଦିନ ହେଲା ଏହାକୁ ନେଇ ଦାବି ଜୋର ଧରିଥିଲା। ଯାହାକୁ ଆଜି ରାଜ୍ୟ ସରକାର ଗ୍ରହଣ କରିଛନ୍ତି।ନୂଆଁଖାଇ ପାଇଁ ପୂର୍ବରୁ ସମ୍ବଲପୁର ଏବଂ ବରଗଡ଼ ବ୍ୟତୀତ ଉତ୍ତରାଞ୍ଚଳ ରାଜସ୍ବ କମିସନ ଅନ୍ତର୍ଗତ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାକୁ ପୂର୍ବରୁ ଆରଡିସି ନିଜ ତରଫରୁ ସ୍ଥାନୀୟ ଛୁଟି (ଲୋକାଲ ହୋଲିଡେ) ଭାବରେ ଘୋଷଣା କରିଥିଲେ। କିନ୍ତୁ ସମ୍ବଲପୁରରେ ଶୀତଳଷଷ୍ଠୀ ଏବଂ ବରଗଡ଼ରେ ପୁଷପୁନିରେ ଲୋକାଲ ହଲିଡେ ହୋଇଥାଏ। ଏହି ଦୁଇ ଜିଲ୍ଲାକୁ ନୂଆଁଖାଇ ପରବର୍ତ୍ତୀ ଦିନକୁ ଆଉ ଏକ ଛୁଟି ପ୍ରଦାନ କରିବାର କ୍ଷମତା ଆରଡିସିଙ୍କ ପରିସରରେ ନଥିଲା। ଉତ୍ତରାଞ୍ଚଳ ଆରଡିସିଙ୍କ ସ୍ବତନ୍ତ୍ର ଅନୁରୋଧରେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମ୍ବଲପୁର ଏବଂ ବରଗଡ଼କୁ ନୂଆଁଖାଇ ଦ୍ବିତୀୟ ଦିନକୁ ଛୁଟି ଭାବରେ ଅନୁମୋଦନ କରାଯାଇଛି। ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅଧୀନରେ ପଶ୍ଚିମ ଓଡ଼ିଶାର ନୂଆପଡ଼ା ଏବଂ ବୌଦ୍ଧ ଆସିଥାଏ। ନୂଆପଡ଼ାରେ ନୂଆଁଖାଇର ପରବର୍ତ୍ତୀ ଦିନକୁ ଦକ୍ଷିଣାଞ୍ଚଳ ଆରଡିସି ଛୁଟି ଦେଇଛନ୍ତି। ଏହାକୁ ନେଇ କିଛି ଦିନ ପୂର୍ବରୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିଥିଲେ। ଆଜି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନୂଆଁଖାଇ ପରବର୍ତ୍ତୀ ଦିନ ଛୁଟି ସଂକ୍ରାନ୍ତୀୟ ପତ୍ରରେ କେବଳ ସମ୍ବଲପୁର ଏବଂ ବରଗଡ଼ ନାଁ ଉଲ୍ଲେଖ ରହିଥିବାରୁ ଅନେକ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା। ଏଥିସହିତ ଚଳିତ ବର୍ଷ ପ୍ରଥମ କରି ନୂଆଁଖାଇ ପାଇଁ ଦୁଇ ଦିନ ଛୁଟି ମିଳି ପାରିଛି।

Leave A Reply

Your email address will not be published.