ବଢ଼ୁନି ଇନପୁଟ୍ ସବ୍‌ସିଡି, ଚାଷୀ ମହଲରେ ଅସନ୍ତୋଷ

ଭୁବନେଶ୍ବର : ଏକର ପିଛା ଚାଷ ଖର୍ଚ୍ଚ ୩୦ ହଜାରରୁ ଅଧିକ। ଏହାକୁ ଆଧାର କରି ସମବାୟ ବ୍ୟାଙ୍କ ପକ୍ଷରୁ କୃଷି ଋଣ ଦିଆଯାଏ। କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତଙ୍କୁ ଇନପୁଟ୍‌ ସବ୍‌ସିଡି ହେକ୍ଟର ପିଛା ଜଳସେଚିତ ଅଞ୍ଚଳରେ ୧୩,୫୦୦ ଏବଂ ଅଣଜଳସେଚିତ ପାଇଁ ୬୫୦୦ ଟଙ୍କା ରହିଛି। ଅପରପକ୍ଷରେ ବିହନ ଠାରୁ ଡିଜେଲ, ସାର ପର୍ଯ୍ୟନ୍ତ ଚାଷ ପାଇଁ ବ୍ୟବହୃତ ପ୍ରତ୍ୟେକ ସାମଗ୍ରୀ ଦର ଆକାଶ ଛୁଆଁ ହେଲାଣି। ଏପରିସ୍ଥଳେ ୨୦୧୫ ମସିହାରେ କେନ୍ଦ୍ର ସରକାରଙ୍କ ଅର୍ଥ କମିସନ ରିପୋର୍ଟ ଆଧାରରେ ଦିଆଯାଉଥିବା ଇନପୁଟ୍ ସବ‌୍‌ସିଡି କିନ୍ତୁ ଆଜି ପର୍ଯ୍ୟନ୍ତ ପରିବର୍ତ୍ତନ ହୋଇନାହିଁ। ରିଲିଫ କୋଡ୍‌କୁ ତ୍ରୁଟିପୂର୍ଣ୍ଣ ଦର୍ଶାଇ ଏହାର ପୁନର୍ବିଚାର ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳର ଚାଷୀ ସଙ୍ଗଠନମାନେ ଦାବି କରୁଛନ୍ତି। ୧୯୭୦ରୁ ୨୦୨୧ ମସିହା ମଧ୍ୟରେ ୪୩ ଥର ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏକର-ଏକର ଫସଲ ନଷ୍ଟ ହୋଇ ଚାଷୀ ସର୍ବସ୍ବାନ୍ତ ହୋଇଛନ୍ତି। ପୂର୍ବ ଓଡ଼ିଶାକୁ ବନ୍ୟା, ପଶ୍ଚିମକୁ ମରୁଡ଼ି, ଉତ୍ତର, ଦକ୍ଷିଣକୁ ବାତ୍ୟା ପ୍ରତିବର୍ଷ ଡରାଉଛି। ଚଳିତ ବର୍ଷ ପ୍ରଥମେ ମରୁଡ଼ିର ଆଶଙ୍କା ଥିଲା। ବର୍ତ୍ତମାନ ବନ୍ୟା ଯୋଗୁଁ ହେକ୍ଟର-ହେକ୍ଟର ଫସଲ ବରବାଦ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର କ୍ଷତି ଆକଳନ କରାଯାଉଛି। ଏସଆରସି ଗାଇଡଲାଇନ ଅନୁସାରେ, ପଞ୍ଚାୟତ ପିଛା ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିଲେ ଚାଷୀଙ୍କୁ ଇନପୁଟ୍ ସବସିଡି ଦିଆଯିବ। ଏହି ଇନପୁଟ୍‌ ସବ୍‌ସିଡି ୭୫ ପ୍ରତିଶତ କେନ୍ଦ୍ର ସରକାର, ୨୫ ପ୍ରତିଶତ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଏ। ସ୍ଥଳ ବିଶେଷରେ ମାତ୍ରାଧିକ କ୍ଷୟକ୍ଷତି ହୋଇଥିଲେ ରାଜ୍ୟ ସରକାର ନିଜ ତରଫରୁ କ୍ଷତିପୂରଣ ପ୍ୟାକେଜ ଘୋଷଣା କରନ୍ତି।

Leave A Reply

Your email address will not be published.