ଲୋକଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଲେ ସରକାର

ସମ୍ବଲପୁର: ପଶ୍ଚିମ ଓଡ଼ିଶାବାସୀଙ୍କ ଦୃଢ଼ ଦାବି ଆଗରେ ସଂପୂର୍ଣ୍ଣ ନହେଲେ ମଧ୍ୟ ଆଂଶିକ ଭାବରେ ମୁଣ୍ଡ ନୁଆଁଇଛନ୍ତି ରାଜ୍ୟ ସରକାର। ନୂଆଁଖାଇ ପାଇଁ ରାଜ୍ୟ ସରକାର ୩ ଦିନ ଛୁଟି ଦେବା ତଥା ସାରା ରାଜ୍ୟରେ ନୂଆଁଖାଇ ଦିନ କେନ୍ଦ୍ରୀୟ ଅନୁଷ୍ଠାନ ଓ କୋର୍ଟ କଚେରି ବନ୍ଦ ରଖିବା ଦାବିରେ ଚଳିତ ବର୍ଷ ଏକ ଅଭୂତପୂର୍ବ ଅଭିଯାନ ଆରମ୍ଭ ହୋଇଥିଲା। ‘ସମ୍ବାଦ’ରେ ସର୍ବପ୍ରଥମେ ଏ ସଂପର୍କରେ ଖବର ପ୍ରକାଶିତ ହୋଇଥିଲା। ଏହି ଦାବି ଲୋକଙ୍କଠାରୁ ଆରମ୍ଭ ହୋଇ ସଂଗଠନ, ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ ଓ ଜନପ୍ରତିନିଧିଙ୍କ ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା। ପଶ୍ଚିମ ଓଡ଼ିଶାରେ ସମସ୍ତେ ଏକ ସ୍ବରରେ ରଜ ଭଳି ନୂଆଁଖାଇରେ ବି ୩ ଦିନ ସରକାରୀ ଛୁଟି ଦାବି କରିଥିଲେ। ରାଜ୍ୟ ଓ ରାଜ୍ୟ ବାହାରେ ରହୁଥିବା ପଶ୍ଚିମ ଓଡ଼ିଶାର ପ୍ରତିଟି ବ୍ୟକ୍ତି ଏହି ଦାବିରେ ସ୍ବର ମିଳାଇଥିଲେ। ଲୋକଙ୍କ ଦୃଢ଼ ସ୍ବର ଦେଖି ଦଳମତ ନିର୍ବିଶେଷରେ ଜନପ୍ରତିନିଧିମାନେ ବି ସରକାରଙ୍କ ନିକଟରେ ଏହି ଦାବି ଉଠାଇବାକୁ ବାଧ୍ୟ ହୋଇଥିଲେ। ସରକାରୀ ଅଧିକାରୀଙ୍କ ଉପରେ ବି ଏହି ଦାବିର ପ୍ରବଳ ଚାପ ପଡ଼ିଥିଲା। ଏହା ଉପରେ ବିଚାର କରିବାକୁ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ରାଜସ୍ବ କମିସନର୍‌ଙ୍କ ସମେତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ସରକାରଙ୍କ ନିକଟକୁ ଚିଠି ଲେଖିଥିଲେ। ଜନତାଙ୍କ ଦୃଢ଼ ଦାବି ଆଗରେ ରାଜ୍ୟ ସରକାର ଶେଷରେ ମୁଣ୍ଡ ନୁଆଁଇଛନ୍ତି। ପୂର୍ବରୁ ନୂଆଁଖାଇ ଦିନଟି ରାଜ୍ୟ ସରକାରଙ୍କ ତରଫରୁ ସଂପୂର୍ଣ୍ଣ ଛୁଟି ହୋଇ ଆସୁଥିଲା। କିନ୍ତୁ ବ୍ୟାଙ୍କ ଓ କେନ୍ଦ୍ରୀୟ ଆର୍ଥିକ ସଂସ୍ଥା ଗୁଡ଼ିକ ଖୋଲା ରହୁଥିଲା। ହେଲେ ରାଜ୍ୟ ସରକାରଙ୍କ ତରଫରୁ ଏକ ବିଜ୍ଞପ୍ତି ମାଧ୍ୟମରେ ନୂଆଁଖାଇ ଦିନ ସାରା ରାଜ୍ୟର ବ୍ୟାଙ୍କ ଓ ବୀତ୍ତିୟ ଅନୁଷ୍ଠାନଗୁଡ଼ିକ ଛୁଟି ରହିବ ବୋଲି ଏଥର ସ୍ପଷ୍ଟ କରାଯାଇଛି। ହେଲେ ପଶ୍ଚିମ ଓଡ଼ିଶା ବାହାରେ କେନ୍ଦ୍ରୀୟ ସଂସ୍ଥା ଓ ବିଚାର ବିଭାଗୀୟ କାର୍ଯ୍ୟାଳୟ, କୋର୍ଟ, କଚେରି ଖୋଲା ରହୁଥିବା ବେଳେ ଏହା ଉପରେ କୌଣସି ନିଷ୍ପତ୍ତି ହୋଇ ନାହିଁ।

Leave A Reply

Your email address will not be published.