ବନ୍ୟା କ୍ଷୟକ୍ଷତି ରିପୋର୍ଟ: ୨୪ ଜିଲ୍ଲାରେ ଫସଲ ବରବାଦ; ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ପୁରୀରେ ସର୍ବାଧିକ କ୍ଷତି

ଭୁବନେଶ୍ବର : ଚଳିତ ବର୍ଷର ବନ୍ୟା ରାଜ୍ୟରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ବନ୍ୟା ଓ ଲଗାଣ ବର୍ଷା ଦ୍ବାରା ୨୪ଜିଲ୍ଲା ପ୍ରଭାବିତ ହୋଇଥିଲେ ହେଁ ମହାନଦୀ ଓ ଏହାର ଶାଖା ନଦୀରେ ଆସିଥିବା ବନ୍ୟା ବ୍ୟାପକ କ୍ଷୟକ୍ଷତି କରିଛି। ସରକାରୀ ଅଧିକାରୀ ଯେତେ ସର୍ଭେ କରୁଛନ୍ତି କ୍ଷୟକ୍ଷତି ସେତେ ବଢ଼ିଚାଲିଛି। ବହୁ ସ୍ଥାନରୁ ଏବେବି ପାଣି ଛାଡ଼ିଥିବାରୁ ପୂର୍ଣ୍ଣାଙ୍ଗ କ୍ଷୟକ୍ଷତି ରିପୋର୍ଟ ଆସିପାରିନି। କିନ୍ତୁ ପ୍ରାଥମିକ ରିପୋର୍ଟ ଅନୁଯାୟୀ ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀରେ ବ୍ୟାପକ କ୍ଷତି ହୋଇଛି। ଏହି ତିନି ଜିଲ୍ଲାରେ ହଜାର ହଜାର ଏକର ଜମି ଏବେବି ପାଣିରେ ବୁଡ଼ି ରହିଛି। ବହୁ ଜମିରେ ବାଲି ଚରି ଯାଇଥିବାରୁ ଏବର୍ଷ ବି ଫସଲ ହେବା ସମ୍ଭାବନା ନାହିଁ। ଅଗଷ୍ଟ ୨୭ ତାରିଖ ସୁଦ୍ଧା କୃଷି ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀମାନେ କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଥିଲା। ଯେଉଁଠି ପାଣି ଛାଡ଼ି ନଥିବ, ସେକ୍ଷେତ୍ରରେ ଅଗଷ୍ଟ ୩୦ ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଥିଲା। ଆଜି ସୁଦ୍ଧା ସବୁ ଜିଲ୍ଲାରୁ ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିପାରିନି। ସବୁ ଜିଲ୍ଲାରୁ ଆସିଥିବା ପ୍ରାଥମିକ ରିପୋର୍ଟ ଅନୁଯାୟୀ, ୨୪ଟି ଜିଲ୍ଲାରେ ୧ଲକ୍ଷ ୨୦ହଜାର ହେକ୍ଟର ଫସଲ ନଷ୍ଟ ହୋଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏଠାରେ ବହୁ ଜମି ଏବେବି ପାଣିରେ ବୁଡ଼ିକି ଥିବାରୁ ସବୁ ଅଞ୍ଚଳର ରିପୋର୍ଟ ଆସିପାରିନି। ଫଳରେ ଏସ୍‌ଆର୍‌ସି ବି ଆଜି ସୁଦ୍ଧା ବନ୍ୟାରେ କେତେ କ୍ଷୟକ୍ଷତି ହୋଇଛି ସେନେଇ ଠିକ୍‌ ଭାବେ ରିପୋର୍ଟ ଦେଇପାରୁନାହାନ୍ତି। ଜଗତସିଂହପୁରରେ ୮୪୧୧ ହେକ୍ଟର ଧାନ ଜମି ଏବଂ ୧୯୭ ହେକ୍ଟର ଜମିରେ ପରିବା ଫସଲ ପ୍ରଭାବିତ ହୋଇଛି। ଏଥିରେ କୁଜଙ୍ଗ ବ୍ଲକର ୪ ପଞ୍ଚାୟତ ବିଶେଷ କ୍ଷତିଗ୍ରସ୍ତ ହୋଇଛି। ଦୁଇ ଦିନରେ ତିନୋଟି ଘାଇ ହୋଇଥିବାରୁ ମହାନଦୀ ଏବଂ ପାଇକା ନଦୀ ପାଣି ଆସି ଚାଷ ଜମିକୁ ବରବାଦ କରିଦେଇଛି। ତିର୍ତ୍ତୋଲରେ ବର୍ତ୍ତମାନ ସୁଦ୍ଧା ପାଣି ଛାଡ଼ିନାହିଁ। ତେଣୁ ଏଠାରେ ଆକଳନ କ୍ଷତିର ପରିମାଣ ଆହୁରି ବଢିବ ବୋଲି କୁହାଯାଇଛି। ପ୍ରାଥମିକ ଆକଳନରେ ପୁରୀ ଜିଲ୍ଲାରେ ୨୫ ହଜାର ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। କଣାସ, ଗୋପ, ନିମାପଡ଼ା, କାକଟପୁରରେ ସର୍ବାଧିକ ଚାଷୀ ପ୍ରଭାବିତ ହୋଇଛନ୍ତି। ବହୁ ଅଞ୍ଚଳରେ ପାଣି ଛାଡ଼ିଥିବାରୁ ଏଠାରେ ଏବେବି ଆକଳନ ଜାରି ରହିଛି। ତେଣୁ ବର୍ତ୍ତମାନ ଦିଆଯାଇଥିବା କ୍ଷୟକ୍ଷତି ରିପୋର୍ଟ ବଦଳିବ ବୋଲି କୁହାଯାଉଛି। ବାଲେଶ୍ବର ଜିଲ୍ଲାରେ ୮୦୭୦.୦୪ ହେକ୍ଟର ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି। ପରିବା କ୍ଷତିର ଆକଳନ ବର୍ତ୍ତମାନ ବି ଜାରି ରହିଛି। ବାଲେଶ୍ବର ଜିଲ୍ଲାର ବାଲେଶ୍ବର, ଭୋଗରାଇ, ଜଳେଶ୍ବର, ବାଲିଆପାଳ ବ୍ଲକ ଅଧିକ ପ୍ରଭାବିତ ହୋଇଛି। ଏବେ ମଧ୍ୟ ଚାଷ ଜମି ଜଳମଗ୍ନ ହୋଇଥିବାରୁ କ୍ଷୟକ୍ଷତି ଆହୁରି ବଢିପାରେ। କେନ୍ଦ୍ରାପଡ଼ା ଜିଲ୍ଲାରେ ୨୨୦୨.୭୫ ହେକ୍ଟର ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି। ପରିବା ଏବଂ ଅଣଧାନ ଆକଳନ ସରିନଥିବାରୁ କ୍ଷତିର ପରିମାଣ ବୃଦ୍ଧି ପାଇବ। ଭରତପୁର, ମାର୍ଶାଘାଇ, ମହାକାଳପଡ଼ା, ରାଜକନିକା ଅଞ୍ଚଳରେ ସର୍ବାଧିକ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ବୌଦ୍ଧ ଜିଲ୍ଲା ପ୍ରଶାସନ ସୂଚନା ଅନୁଯାୟୀ, ୨୮୮୫ ହେକ୍ଟର ଧାନ, ୫୮୮ ହେକ୍ଟର ଅଣଧାନ, ୨୧୫ ହେକ୍ଟର ଉଦ୍ୟାନ କୃଷି କ୍ଷତିଗ୍ରସ୍ତ ହୋଇଛି। ଜିଲ୍ଲାର ହରଭଙ୍ଗା ବ୍ଲକ ସର୍ବାଧିକ କ୍ଷତି ହୋଇଛି। ମତ୍ସ୍ୟ ବିଭାଗ ତଥ୍ୟ ଅନୁସାରେ ୪୨ ହଜାର ୯୨୦ ଟଙ୍କାର କ୍ଷତି ହୋଇଛି।

Leave A Reply

Your email address will not be published.