ଶ୍ରୀମନ୍ଦିର ଗର୍ଭଗୃହରେ ଗଳୁଛି ପାଣି: ମାରା ହେଉଛି ମହାପ୍ରଭୁଙ୍କ ଫୁଲ, ତୁଳସୀ

ପୁରୀ : ଶ୍ରୀମନ୍ଦିର ଗର୍ଭଗୃହରେ ଲାଗିଥିବା ଏୟାରକଣ୍ଡସନର୍‌ ଯୋଗୁ ପାଣି ଗଳୁଛି। ଏହା ମହାପ୍ରଭୁଙ୍କ ବାଟି (ଫୁଲ, ତୁଳସୀ ରଖିବା ସ୍ଥାନ) ଉପରେ ପଡ଼ୁଥିବାରୁ ଦୈନିକ ଫୁଲ, ତୁଳସୀ ମାରା ହେଉଛି। ଏହାକୁ ବାଧ୍ୟହୋଇ ଫିଙ୍ଗିବାକୁ ପଡ଼ୁଛି। ଏଭଳି ଗୁରୁତର ଅଭିଯୋଗ କରିଛନ୍ତି ଛାମୁ ଖୁଣ୍ଟିଆ ସେବକ। ଏହାର ତୁରନ୍ତ ପ୍ରତିକାର କରିବାକୁ ଛାମୁ ଖୁଣ୍ଟିଆ ସେବକମାନେ ଦାବି କରିଛନ୍ତି। ଶ୍ରୀମନ୍ଦିର ଗର୍ଭଗୃହକୁ ଶୀତଳ ରଖିବାପାଇଁ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ବଡ଼ ବଡ଼ ଏୟାରକଣ୍ଡସନର୍‌ ଲଗାଯାଇଛି। ଏହି ଏୟାରକଣ୍ଡସନର୍‌ଗୁଡ଼ିକର ପାଣି ପାଇପ ଯୋଗେ ବାଟି ଘର, ବେହେରଣ ଦ୍ବାର ଦେଇ ବାହାରକୁ ଛଡ଼ାଯାଇଛି। ଛାମୁ ଖୁଣ୍ଟିଆ ସେବକ ତଥା ଖୁଣ୍ଟିଆ ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି ଯେ ଏହି ଏୟାରକଣ୍ଡସନର୍‌ ପାଇପରୁ ପାଣି ଗଳି ପ୍ରତିଦିନ ବାଟି ଉପରେ ପଡ଼ୁଛି। ଫଳରେ, ଏହି ପାଣି ବାଟିରେ ଥିବା ଫୁଲ, ତୁଳସୀ ଉପରେ ପଡ଼ୁଛି। ପାଣି ପଡ଼ି ଦୈନିକ ଫୁଲ, ତୁଳସୀ ମାରା ହେଉଥିବାରୁ ଏହାକୁ ଫିଙ୍ଗିବାକୁ ପଡ଼ୁଛି। ବେତା, ବେତା ଫୁଲ, ତୁଳସୀ ଏଥିପାଇଁ ନଷ୍ଟ ହେଉଛି। ଏହାର ତ୍ବରିତ୍‌ ସମାଧାନ ନ କଲେ, ଆଗାମୀଦିନରେ ମହାପ୍ରଭୁଙ୍କ ପାଇଁ ଫୁଲ ଓ ତୁଳସୀର ଅଭାବ ଦେଖାଦେଇପାରେ। ସେଭଳି ପରିସ୍ଥିତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦାୟୀ ରହିବ ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି।

Leave A Reply

Your email address will not be published.