ଗଣେଶ ଭସାଣିକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଟାଙ୍ଗିଆ ଚୋଟରେ ଜଣେ ଗୁରୁତର

ଢେଙ୍କାନାଳ ୦୨।୦୯: ଗଣେଶ ମେଢ଼ ଭସାଣିକୁ ନେଇ ଗୋଷ୍ଠୀ ସଂଘର୍ଷ । ଢେଙ୍କାନାଳ ଜିଲ୍ଲା ସଦର ଥାନା ଛାଟିଆ ଗାଁରେ ଦୁଇ ଗୋଷ୍ଠୀ ମୁହାଁମୁହିଁ। ଗୋଟିଏ ଗୋଷ୍ଠୀର ଟାଙ୍ଗିଆ ଚୋଟରେ ଅନ୍ୟ ଗୋଷ୍ଠୀର ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତଖନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ଗୁରୁତର ଯୁବକ ଜଣଙ୍କ ଛାଟିଆ ମଝିସାହିର ରଞ୍ଜନ ବେହେରା । ତେବେ ଆକ୍ରମଣ କରିଥିବା ଯୁବକ ଜଣଙ୍କ ଛାଟିଆର ପ୍ରମୋଦ ରାଉତ । ଘଟଣା ପରେ ସେ ଫେରାର ହୋଇଯାଇଛି । ଛାଟିଆ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ବଡ଼ ବିବାଦ ଲାଗି ରହିଥିଲା । ଯାହାକୁ ନେଇ ଉଭୟ ପକ୍ଷ ପୃଥକ ପୃଥକ ଭାବେ ଦୁଇଟି ମଣ୍ଡପରେ ଗଣେଶ ପୂଜା କରୁଥିଲେ । ତେବେ ଗୁରୁବାର ଭସାଣି ଉତ୍ସବରେ କେଉଁ ମେଢ଼ ଆଗରେ କିଏ ଯିବ ତାକୁ ନେଇ ବିବାଦ ଉପୁଜିଥିଲା । ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇ ରହିଥିବାରୁ ଛାଟିଆ ଗାଁରେ ପ୍ରବଳ ଉତ୍ତଜେନା ଦେଖିବାକୁ ମିଳିଥିଲା। ଖବର ପାଇ ସଦର ଥାନା ପୋଲିସ, ଫୋର୍ସ ସହ ଛାଟିଆ ଗାଁରେ ପହଞ୍ଚିଛି । ଏହାପରେ ଉତ୍ତେଜନା ସାମାନ୍ୟ ହ୍ରାସ ପାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.