୭୦ ଛୁଇଁଲା ଟମାଟୋ

ଭୁବନେଶ୍ୱର ୦୬/୦୯: ବନ୍ୟା ଏବଂ ଲଗାଣ ବର୍ଷା ଯୋଗୁ କଞ୍ଚା ପରିବା ଉତ୍ପାଦନ ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ରାଜଧାନୀର ବିଭିନ୍ନ ସ୍ଥାନରେ ଟମାଟୋ କିଲୋ ପିଛା ଦର ପ୍ରାୟ ୭୦ ଟଙ୍କା ଛୁଇଁଛି । ଟମାଟୋ ପାଇଁ ଏବେ ରାଜ୍ୟ ବାହାର ବଜାର ଉପରେ ନିର୍ଭର କରିବାକୁ ପଡୁଛି । ମାତ୍ର ମହାରାଷ୍ଟ୍ରର ନାସିକ ଏବଂ ବେଙ୍ଗାଲୁରୁ ଭଳି ଟମାଟୋ ଆସୁଥିବା ସ୍ଥାନଗୁଡିକରେ ବର୍ଷା ଯୋଗୁ ଯୋଗାଣ ପ୍ରଭାବିତ ହୋଇଛି ।ଫଳରେ ଏହାର ପ୍ରଭାବ ଖୁଚୁରା ବଜାର ଉପରେ ପଡିଛି । ରାଜଧାନୀ କଞ୍ଚା ପରିବା ସଂଘ ମୁତାବକ, ୧ ନମ୍ବର ହାଟରେ ସୋମବାର ଟମୋଟୋ ଦର ୪୦ ଟଙ୍କା ରହିଛି । ୨ ଦିନ ତଳେ ଦର ୩୦ ଟଙ୍କା ଥିବା ବେଳେ ବର୍ଷା ପ୍ରଭାବରୁ ଦର ୧୦ ଟଙ୍କା ବଢ଼ି ଯାଇଛି । ମାତ୍ର ଭୁବନେଶ୍ୱରର ଅନ୍ୟ ପ୍ରାନ୍ତଗୁଡିକରେ ଟମାଟୋ ଦର ପ୍ରାୟ ୩୦ ଟଙ୍କା ଚଢ଼ା ବିକୁଛନ୍ତି ବ୍ୟବସାୟୀ । ଏହାକୁ ନେଇ ଖାଉଟି ଅସନ୍ତୋଷ ପ୍ରକାଶ କରିଛନ୍ତି । ସଂଘର ସଭାପତି କବିରାଜ ସ୍ୱାଇଁ କହିଛନ୍ତି ଯେ ବର୍ତ୍ତମାନ ବର୍ଷା ଯୋଗୁ ଯୋଗାଣ କିଛିଟା ପ୍ରଭାବିତ ହୋଇଛି । ଦର ସ୍ୱାଭାବିକ ହେବାକୁ କିଛି ଦିନ ଲାଗିବ । ଭୁବନେଶ୍ୱରକୁ ବାଦ ଦେଲେ ରାଜ୍ୟର ଅନ୍ୟ ପ୍ରାନ୍ତଗୁଡିକରେ ଦର ଅଧିକ ରହିଛି । ସ୍ଥାନୀୟ ପରିବା ଆସିବା ବନ୍ଦ ହୋଇଛି । ଫଳରେ ଦର ସାଧାରଣତଃ ଉଚ୍ଚରେ ରହୁଛି । ଶୀତ ପରିବା ଆସିବାକୁ ଆଉ ମାସେ ସମୟ ଲାଗି ପାରେ ବୋଲି ଶ୍ରୀ ସ୍ୱାଇଁ ଉଲ୍ଲେଖ କରିଛନ୍ତି । ବର୍ତ୍ତମାନ ଭୁବନେଶ୍ୱରରେ ବାଇଗଣ ଦର ୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ପୋଟଳ ୪୦, ଜହ୍ନି ୪୦, ଭେଣ୍ଡି ୪୦, ବନ୍ଧା କୋବି ୩୦ ଏବଂ ବିନ୍‌ସ ୯୦ ଟଙ୍କାରେ ବିକ୍ରି ହେଉଛି । ଆଳୁ ଦର ବୃଦ୍ଧି ହୋଇ ନ ଥିବା ବେଳେ ଏହା ୨୦ ଟଙ୍କାରେ ବିକ୍ରି ହେଉଥିବା ସୂଚନା ମିଳିଛି ।

Leave A Reply

Your email address will not be published.