ସେପ୍ଚେମ୍ବର ୧୨ ଯାଏଁ ପ୍ରବଳ ବର୍ଷା, ବେଶି ଭିଜିବ ଏହି ସବୁ ଜିଲ୍ଲା

ନୂଆଦିଲ୍ଲୀ, ୦୯|୦୯:  ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବଢ଼ିବ ବର୍ଷା । ଲଘୁଚାପ ଓଡ଼ିଶା ମୁହାଁ ହେବା ସମ୍ଭାବନା ଥିବାରୁ ରାଜ୍ୟରେ ୧୨ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ବିଶେଷ କରି ଶୁକ୍ରବାର ରାତିରୁ ହିଁ ବର୍ଷା ବଢ଼ିଯିବ । ରବିବାର ଯାଏ ନିର୍ଘାତ ଛେଚିବ । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ଆସନ୍ତା ୩ ଦିନ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଲଘୁଚାପ ଦକ୍ଷିଣ ଓଡ଼ିଶା ଉପକୂଳ ପାଖେ ପାଖେ ସମୁଦ୍ରରେ ଗତି କରିବ। ତା’ପରେ ଉତ୍ତର ଓଡ଼ିଶାକୁ ପ୍ରବେଶ କରିବା ସମ୍ଭାବନା ଅଛି । ଏହା ପ୍ରଭାବରେ ଶୁକ୍ରବାର ରାତିରୁ ବର୍ଷା ବଢ଼ିବ। ରବିବାର ସକାଳ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଓ ପାଶ୍ୱର୍ବର୍ତ୍ତୀ ଉପକୂଳ ଅଞ୍ଚଳରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ। କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ଖୋର୍ଦ୍ଧା, କଟକ, ନୟାଗଡ଼, ଅନୁଗୁଳ, ଗଞ୍ଜାମ, ରାୟଗଡ଼ା, ଗଜପତି, ନବରଙ୍ଗପୁର, ପୁରୀ ଓ ଜଗତସିଂହପୁରରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ୧୧ରୁ ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିବ । ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ମୟୂରଭଞ୍ଜ, ସମ୍ବଲପୁର ଓ ଜଗତସିଂହପୁରରେ ୧୧ରୁ ୧୨ ତାରିଖ ପର୍ଯ୍ୟନ୍ତ ଅଧିକ ବର୍ଷା ହେବ । କଟକ ଓ ଭୁବନେଶ୍ୱରରେ ୧୦ ଓ ୧୧ରେ ଅତି ପ୍ରବଳ ବର୍ଷା ହୋଇପାରେ । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଲା, ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଓଡ଼ିଶା ଉପକୂଳକୁ ଆସିବ। ୧୧ ତାରିଖ ସକାଳବେଳା ଦକ୍ଷିଣ ଓଡ଼ିଶା ଉପକୂଳ (ଗୋପାଳପୁରରୁ ପାରାଦୀପ) କିମ୍ବା ସଂଲଗ୍ନ ଉତ୍ତର ଆନ୍ଧ୍ର ଉପକୂଳ ଦେଇ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବେଶ କରିପାରେ । ଏହା ପ୍ରଭାବରେ ୯ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲା ଓ ସଂଲଗ୍ନ ଜିଲ୍ଲାରେ ସ୍ୱଳ୍ପ (୧୫ରୁ ୨୦ ମିମି) ବର୍ଷା ହେବ ।

Leave A Reply

Your email address will not be published.