ନୀରଜ ରଚିଲେ ଇତିହାସ : ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ହାତେଇଲେ ଡାଏମଣ୍ଡ୍ ଲିଗ୍ ଟାଇଟଲ୍

ନୂଆଦିଲ୍ଲୀ, ୦୯|୦୯:   ଭାରତର ଷ୍ଟାର୍‌ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଚଳିତ ବର୍ଷ ଜାଭେଲିନ୍‌ ଥ୍ରୋ’ରେ ଡାଏମଣ୍ଡ ଲିଗ୍‌ ଟାଇଟଲ ହାସଲ କରିଛନ୍ତି । ଭାରତର ପ୍ରଥମ ଆଥ୍‌ଲେଟ ଭାବେ ଡାଏମଣ୍ଡ ଲିଗ୍‌ ଚାମ୍ପିଅନ୍‌ ହୋଇ ନୀରଜ ଇତିହାସ ରଚିଛନ୍ତି । ଗୁରୁବାର ଅନୁଷ୍ଠିତ ଫାଇନାଲ୍‌ ରାଉଣ୍ଡ୍‌ରେ ନୀରଜ ୮୮.୪୪ ମିଟର ଦୂର ଜାଭେଲିନ୍‌ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଅନ୍ୟ କୌଣସି ପ୍ରତିଯୋଗୀ ତାଙ୍କ ନିକଟତର ହୋଇପାରି ନଥିଲେ । ନୀରଜଙ୍କ ପ୍ରଥମ ପ୍ରୟାସ ଫାଉଲ ରହିଥିଲା । ପରବର୍ତ୍ତୀ ପ୍ରୟାସରେ ସେ ୮୮.୪୪ ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ । ଏହାପରେ ସେ ଯଥାକ୍ରମେ ୮୮.୦୦ ମିଟର, ୮୬.୧୧ ମିଟର, ୮୭.୦୦ ଓ ୮୩.୬୦ ମିଟର ଦୂର ଜାଭେଲିନ୍‌ ଫିଙ୍ଗିଥିଲେ । ଚେକ ଗଣରାଜ୍ୟର ଜାକୁବ ଭାଲଡେଜ ସର୍ବାଧିକ ୮୬.୯୪ ମିଟର ଦୂର ଜାଭେଲିନ୍‌ ଫିଙ୍ଗି ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ସେହିପରି ଜର୍ମାନୀର ଜୁଲିଆନ ୱେବର ସର୍ବାଧିକ ୮୩.୭୩ ମିଟର ଦୂର ଜାଭେଲିନ୍‌ ଫିଙ୍ଗିଥିଲେ । ବିଶ୍ୱ ଚାମ୍ପିଅନସିପ୍‌ରେ ଆହତ ହେବା ପରେ ନୀରଜ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇପାରି ନଥିଲେ । ମାସେ ମଧ୍ୟରେ ଫିଠ୍‌ ହୋଇ ସେ ଗତ ଜୁଲାଇ ୨୬ ତାରିଖରେ ଲାଉସେନ ଡାଏମଣ୍ଡ ଲିଗ୍‌ରେ ଭାଗ ନେଇ ୮୯.୦୮ ମିଟର ଜାଭେଲିନ୍‌ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏଥିସହ ସେ ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିଥିଲେ । ପ୍ରଥମ ଭାରତୀୟ ଭାବେ ସେ ଡାଏମଣ୍ଡ ଲିଗ୍‌ର ମିଟ୍‌ ଟାଇଟଲ ହାସଲ କରିଥିଲେ । ପୂର୍ବରୁ ୨୦୧୭ ଓ ୨୦୧୮ ଡାଏମଣ୍ଡ ଲିଗ୍‌ ଫାଇନାଲ୍‌ରେ ପ୍ରବେଶ କରି ଯଥାକ୍ରମେ ସପ୍ତମ ଓ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ।

Leave A Reply

Your email address will not be published.