ତୁଟୁନି ବିବାଦ, ହଟୁନି ରାସ୍ତାରୋକ : ରାତିତମାମ ଚାଲିଛି ଆନ୍ଦୋଳନ

ନବରଙ୍ଗପୁର ୧୦।୦୯: ତୁଟୁନି ବିବାଦ, ହଟୁନି ରାସ୍ତାରୋକ । ଶୁକ୍ରବାର ମୃତଦେହ ପୋତା ହେବା ପରେ ବିବାଦ ଉଗ୍ରରୂପ ନେଇଛି । ପ୍ରଶାସନକୁ ବିରୋଧ କରି ରାତି ତମାମ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ପ୍ରଶାସନ ଶବକୁ ଜନ ବସତି ନିକଟରେ ପୋତିବାକୁ ଅନୁମତି ଦେବା ପରେ ବିବାଦ ଆହୁରି ବଢିଛି । ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ । ଖବର ଅନୁଯାୟୀ, ବିବାଦୀୟ ଶବକୁ ନେଇ ଉମରକୋଟ ସହରରେ ଆଜି ବି ରାସ୍ତା ରୋକ କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ଶୁକ୍ରବାର ଡଙ୍ଗରିସାହିର ଜଣେ ଯୁବତୀ ପୁଷ୍ପାଞ୍ଜଳି ବାଘଙ୍କ ମୃତ୍ୟୁ ଘଟିଥିଲା । ଶବ ସତ୍କାର ପାଇଁ ସ୍ଥାନ ନମିଳିବାରୁ ପରିବାର ବର୍ଗ ଉମରକୋଟ ଠାରୁ ଛତିଶଗଡ଼କୁ ସଂଯୋଗ କରୁଥିବା ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ । ପରେ ପ୍ରଶାସନର ସହାୟତାରେ ଶବକୁ ନେଇ DNK ସ୍ଥିତ ଏକଟାଗୁଡ଼ା ନିକଟରେ ରାସ୍ତା କଡ଼ରେ ପୋତି ଦେଇଥିଲେ । ଏହି ଶବ ପୋତାକୁ ବିରୋଧ କରି ସ୍ଥାନୀୟ ବାସିନ୍ଦା ଗତ ରାତିଠାରୁ ନବରଙ୍ଗପୁରରୁ ଉମରକୋଟକୁ ସଂଯୋଗ କରୁଥିବା ୩୯ ନମ୍ବର ରାଜ୍ୟ ରାଜପଥ କୁ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ଵ ରେ ଅନେକ ଗାଡ଼ି ମଟର ଅଟକ ରହିବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଉମରକୋଟରେ ଗୋଟିଏ ଘଟଣାକୁ ନେଇ ଦୁଇ ଦୁଇ ଥର ରାସ୍ତା ରୋକ୍ ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଉକ୍ତ ସ୍ଥାନ ରୁ ଶବକୁ ବାହାର କରି ଅନ୍ୟ ସ୍ଥାନରେ ପୋତିବା ପାଇଁ ଜିଦ୍ ଧରି ବସିଛନ୍ତି ସ୍ଥାନୀୟ ବାସିନ୍ଦା । ସମସ୍ୟା ର ସମାଧାନ ନ ହେବାଯାଏ ରାସ୍ତାରୋକ ରୁ ହଟିବେ ନାହିଁ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା।

Leave A Reply

Your email address will not be published.