କୋଭିଡ ପରଠୁ ବଢିଛି ସ୍ୱାସ୍ଥ୍ୟ ସଂକଟ

ଲଣ୍ଡନ,୧୨/୦୯: ସାଙ୍ଘାତିକ ଦରଦାମ ବୃଦ୍ଧିର ସମ୍ମୁଖୀନ ହେଉଥିବା ୟୁରୋପରେ ଭୁଶୁଡ଼ି ପଡ଼ିଲାଣି ସ୍ୱାସ୍ଥ୍ୟ ବ୍ୟବସ୍ଥା । ସ୍ୱାସ୍ଥ୍ୟସେବା ମିଳିବା ପାଲଟିଛି ବହୁ କଷ୍ଟକର ବ୍ୟାପାର । ଡାକ୍ତରଙ୍କୁ ଦେଖାଇବା ପାଇଁ ଦେବାକୁ ପଡୁଛି ଲାଞ୍ଚ । ବ୍ରିଟେନ୍‌ରେ ଚିକିତ୍ସା ପାଇଁ ପାଖାପାଖି ୬୫ ଲକ୍ଷ ଲୋକ ଅପେକ୍ଷା କରିରହିଛନ୍ତି । ୨୦୧୯ ତୁଳନାରେ ଏହା ୫୦% ଅଧିକ । ଫଳରେ ରୋଗବ୍ୟାଧିରେ ପଡ଼ି ଲୋକମାନେ ଛଟପଟ ହେଉଛନ୍ତି । ୟୁରୋପର ଆଉ ଏକ ପ୍ରମୁଖ ରାଷ୍ଟ୍ର ସ୍ପେନରେ ଜରୁରି ଅସ୍ତ୍ରୋପଚାର ଅପେକ୍ଷାରେ ଥିବା ଲୋକଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି । ସେମାନଙ୍କୁ ପ୍ରାୟ ୧୨୩ ଦିନ ଅପେକ୍ଷା କରିବାକୁ ପଡୁଛି । ବିଗତ ୧୮ ବର୍ଷର ଏହା ରେକର୍ଡ ଭାଙ୍ଗିଛି । କୋଭିଡ ମହାମାରୀ ଯୋଗୁ ୟୁରୋପରେ ଏଭଳି ସ୍ୱାସ୍ଥ୍ୟ ସଂକଟ ଉପୁଜିଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଦର୍ଶାଇଛନ୍ତି । କରୋନା ମହାମାରୀ ବେଳେ ୟୁରୋପର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ସାଙ୍ଘାତିକ ପ୍ରଭାବ ପଡ଼ିଥିଲା । ସେଥିରୁ ମୁକୁଳିବା ପାଇଁ ୟୁରୋପୀୟମାନେ ଏବେ ବି ସଂଘର୍ଷ କରୁଛନ୍ତି । ପ୍ରଥମେ ଇଟାଲୀରେ ସ୍ୱାସ୍ଥ୍ୟ ସଂକଟ ଦେଖାଦେଇଥିଲା । ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଥିଲା । ବର୍ତ୍ତମାନ ଅନ୍ୟ ୟୁରୋପୀୟ ଦେଶରେ ସମସ୍ୟା ବଢ଼ିବାରେ ଲାଗିଛି । ଲୋକଙ୍କୁ ଚିକିତ୍ସା ପାଇଁ ଲାଞ୍ଚ ବି ଦେବାକୁ ପଡୁଛି । ଲଣ୍ଡନର ଇମ୍ପେରିଆଲ କଲେଜ ଦ୍ୱାରା ହୋଇଥିବା ଏକ ସଦ୍ୟ ଗବେଷଣାରୁ ଏହା ଜଣାପଡ଼ିଛି ।

Leave A Reply

Your email address will not be published.