ମାଆ ବିମଳାଙ୍କ ପୀଠରେ ଷୋଡଶ ଉପଚାର ପୂଜା

ପୁରୀ ୧୭/୦୯: ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ମା ବିମଳାଙ୍କ ପୀଠରେ ଆଜିଠାରୁ ଆରମ୍ଭ ହେବ ଷୋଡଶ ଦିନାତ୍ମକ ପୂଜା । ଏହି ଅବସରରେ ଗଜପତିଙ୍କ ଶ୍ରୀନଅରରେ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯାଇଛି । ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ନଡିଆ ଅର୍ପଣ କରିଛନ୍ତି । ଗଜପତିଙ୍କ ପ୍ରତିନିଧି ଭାବେ ରାଜଗୁରୁ ଏହି ଗୁଆ ନଡ଼ିଆ ବ୍ରାହ୍ମଣ ମାନଙ୍କୁ ଦେଇ ବରଣ କରିଥିଲେ । ମା ବିମଳାଙ୍କ ପୀଠ ନିମନ୍ତେ ପୂଜକ, ଜଣେ ପରୀଚ୍ଛା,‌ ଚଣ୍ଡୀପାଠକ, ମନ୍ତ୍ରଯାପକ, ସହସ୍ରନାମ ପାଠକଙ୍କୁ ବରଣ କରାଯାଇଥିଲା । ଏଥିସହ ଶ୍ରୀମନ୍ଦିର ଭିତର ବେଢା ପରିସରରେ ମା ଭୁବନେଶ୍ୱରୀ, ମା ବାଟମଙ୍ଗଳା ଓ ମା ଉତ୍ତରାୟଣୀ ପୀଠ ଲାଗି ପୂଜକ ଏବଂ ଚଣ୍ଡୀପାଠକ ମାନଙ୍କୁ ମଧ୍ୟ ବରଣ କରାଯାଇଛି। ଶ୍ରୀକ୍ଷେତ୍ର ମଧ୍ୟରେ ଥିବା ବିଭିନ୍ନ ଶକ୍ତୀପୀଠ ଯଥା ଦକ୍ଷିଣକାଳୀ, ଆଲମଚଣ୍ଡୀ ଓ କପିଳେଶ୍ୱରପୁର ଶାସନର ପଞ୍ଚମୁଖୀ ଠାକୁରାଣୀଙ୍କ ପୀଠରେ ଷୋଳପୂଜା ପାଇଁ ପୂଜକ, ଚଣ୍ଡୀପାଠକ ମାନଙ୍କୁ ପରମ୍ପରା ଅନୁସାରେ ବରଣ କରାଗଲା ।

Leave A Reply

Your email address will not be published.