ବିଜେପିରେ ମିଶିବେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ ୧୯/୦୯: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ଆଜି ବିଜେପିରେ ସାମିଲ ହେବେ । ରାଜ୍ୟର ୫ରୁ ୬ ଜଣ ପୂର୍ବତନ ମନ୍ତ୍ରୀ ବି ପଦ୍ମ ଧରିବେ । ଏଥିସହ କ୍ୟାପ୍‌ଟେନ୍‌ ଅମରିନ୍ଦରଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସର ବିଜେପିରେ ବିଲୟ ଘଟିବ । ପଞ୍ଜାବରେ ଅମରିନ୍ଦରଙ୍କୁ ବିଜେପି ବଡ଼ ଦାୟିତ୍ୱ ଦେବା ନେଇ ଚର୍ଚ୍ଚା ହେଉଛି । ଖବର ଅନୁସାରେ ପଞ୍ଜାବରେ ବିଜେପିର ପୁନର୍ଗଠନ ହେବାର ଯୋଜନା ରହିଛି । କାରଣ ବର୍ତ୍ତମାନ ଦଳର ପ୍ରଦେଶ ମୁଖ୍ୟ ଅଶ୍ୱନୀ ଶର୍ମାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଏଭଳି ସ୍ଥିତିରେ ବିଜେପି ସହ ପଞ୍ଜାବ ଲୋକ କଂଗ୍ରେସର ବିଲୟ ଘଟିବ ଏବଂ ପୂର୍ବତନ କଂଗ୍ରେସ ନେତା ଅମରିନ୍ଦର ଓ ତାଙ୍କର ସହଯୋଗୀମାନଙ୍କୁ ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯିବ । ପଞ୍ଜାବରେ ବିଜେପିର ମାତ୍ର ଦୁଇଟି ଆସନ ରହିଛି । ଏଠାରେ କଂଗ୍ରେସକୁ ମାତ୍‌ ଦେଇ ସରକାର ଗଢ଼ିଛି ଆମ୍‌ ଆଦ୍‌ମି ପାର୍ଟି (ଆପ୍‌) । ତେଣୁ କଂଗ୍ରେସ ସ୍ଥାନରେ ବିଜେପି ଏଠାରେ ସ୍ଥିତି ମଜଭୁତ ପାଇଁ ରଣନୀତି ପ୍ରସ୍ତୁତ କରୁଛି । ସେହି ଦୃଷ୍ଟିରୁ କ୍ୟାପ୍‌ଟେନ୍‌ ବିଜେପିରେ ସାମିଲ ହେବା ପରେ ତାଙ୍କୁ ବଡ଼ ଦାୟିତ୍ୱ ଦିଆଯିବ । ଦିଲ୍ଲୀରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସେ ଭେଟିବା ପରେ ଏ ନେଇ ଚର୍ଚ୍ଚା ହେଉଛି । ଶାହଙ୍କ ସହ ସାକ୍ଷାତ ପରେ ବିଜେପିରେ ପଞ୍ଜାବ ଲୋକ କଂଗ୍ରେସର ବିଲୟ ଘଟିବା ନେଇ ଅମରିନ୍ଦରଙ୍କୁ ପ୍ରଶ୍ନ ହୋଇଥିଲା । କିନ୍ତୁ ସେ ତାହାକୁ ଖଣ୍ଡନ କରିଥିଲେ । ଏହା ପୂର୍ବରୁ ସେ ଅଗଷ୍ଟ ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବି ଭେଟିଥିଲେ ।

Leave A Reply

Your email address will not be published.